ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସିନ୍ଧୁ ନଦୀ ପରେ ଚେନାବ ଉପରେ ଭାରତ କରିଛି ୱାଟର ଷ୍ଟ୍ରାଇକ୍ । ପାକିସ୍ତାନ ସହ ପ୍ରତ୍ୟକ୍ଷ ଯୁଦ୍ଧ ପୂର୍ବରୁ, ପରୋକ୍ଷ ଯୁଦ୍ଧରେ ଭାରି ପଡ଼ୁଛି ଭାରତ । ସିନ୍ଧୁ ଜଳ ଚୁକ୍ତି ରଦ୍ଦର ପ୍ରାୟ ୨ ସପ୍ତାହ ପରେ, କାଶ୍ମୀରର ୨ଟି ଜଳ ବିଦ୍ୟୁତ ପ୍ରକଳ୍ପର କ୍ଷମତା ବଢ଼ାଇବାକୁ ପଙ୍କୋଦ୍ଧାର ଆରମ୍ଭ ହୋଇଛି । ସାଲାଲ୍ ଓ ବାଗଲିହାର ପ୍ରୋଜେକ୍ଟରେ ନଦୀବନ୍ଧକୁ ସଂପୂର୍ଣ୍ଣ ବନ୍ଦ କରି, ରିଜର୍ଭୟର୍ ଫ୍ଲସିଂ କରାଯାଇଛି ।
ଏଥିଯୋଗୁଁ ଚେନାବ୍ ନଦୀର ଜଳ ସ୍ତର କିଛି ସ୍ଥାନରେ ବହୁ ମାତ୍ରାରେ ଖସିଥିବା ଏବଂ ଆଉ କିଛି ଜାଗାରେ ଶୁଖିଯାଇଥିବା ଦେଖିବାକୁ ମିଳିଛି । ପାକିସ୍ତାନକୁ ବହୁଥିବା ଜଳ ଅଟକାଇବା ପାଇଁ ଜଳଭଣ୍ଡାରର କ୍ଷମତା ବୃଦ୍ଧି ଖୁବ୍ ଜରୁରୀ । ଏଥିସହ ଅଟକିଥିବା ଆଉ ୬ଟି ପ୍ରକଳ୍ପର ନିର୍ମାଣ କାମ ମଧ୍ୟ ତ୍ବରାନ୍ବିତ କରିଛନ୍ତି ସରକାର । ସିନ୍ଧୁ ଚୁକ୍ତି କାୟମ ଥିଲେ, ଏହି ପ୍ରକ୍ରିୟା ପାଇଁ ପାକିସ୍ତାନକୁ ୬ ମାସ ଆଗରୁ ନୋଟିସ୍ ଦେବାକୁ ପଡ଼ିଥାନ୍ତା ଏବଂ ସହମତି ସ୍ଥାପନ କରିବାକୁ ପଡ଼ିଥାନ୍ତା । ଆଗକୁ ଝେଲମ୍ ନଦୀରେ ଥିବା କିଶନଗଙ୍ଗା ପ୍ରୋଜେକ୍ଟରେ ପାକିସ୍ତାନ ଆଡ଼କୁ ପାଣି ବନ୍ଦ କରିବାକୁ ମଧ୍ୟ ପଦକ୍ଷେପ ନିଆଯାଇପାରେ ବୋଲି ସୂଚନା ମିଳିଛି ।





