ଜି.ଉଦୟଗିରି:କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ପାବୁରିଆ ସେକ୍ସନ ଅନ୍ତର୍ଗତ ଡମ୍ବା ଅଞ୍ଚଳରେ ଦନ୍ତା ହାତୀର ଆତଙ୍କ ଦେଖାଦେଇଛି। ଉତ୍ତର ଘୁମୁସର ବନାଞ୍ଚଳରୁ ଫେରୁଥିବା ଏକ ଦନ୍ତା ଶୁକ୍ରବାର ଦୁଇ ଜଣଙ୍କ ଜୀବନ ନେଇଥିବା ବେଳେ ଶନିବାର ଭୋର ସମୟରେ ଆଉ ଜଣେ ବ୍ୟକ୍ତି ତାହାର ଆକ୍ରମଣରେ ପ୍ରାଣ ହାରାଇଛନ୍ତି। ଏହାସହିତ ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଛି।ମୃତକମାନେ ହେଲେ ବାମଦେବ ପ୍ରଧାନ (୬୩), କୀର୍ତନ ବଗର୍ତି (୬୧) ଓ ଦୁରିତ ପ୍ରଧାନ। ସୂଚନା ଅନୁସାରେ, ଦୁରିତ ପ୍ରଧାନ ପାବୁରିଆ ଅଞ୍ଚଳର ସିନ୍ଦରୀଗୁଡା ଜଙ୍ଗଲକୁ ଶିକାର କରିବାକୁ ଯାଇଥିବା ବେଳେ ଦନ୍ତା ହାତୀ ତାଙ୍କ ଉପରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ସେ ପ୍ରାଣ ହାରାଇଥିବା ସୂଚନା ମିଳିଛି।ଏହାପୂର୍ବରୁ ଶୁକ୍ରବାର ଡମ୍ବା ଅଞ୍ଚଳରେ ବାମଦେବ ପ୍ରଧାନ ଓ କୀର୍ତନ ବଗର୍ତିଙ୍କୁ ମଧ୍ୟ ସେହି ଦନ୍ତା ହାତୀ ଆକ୍ରମଣ କରିଥିଲା, ଯାହାଫଳରେ ଦୁହେଁ ଗୁରୁତର ଆହତ ହୋଇ ପରେ ମୃତ୍ୟୁବରଣ କରିଥିଲେ। ଲଗାତାର ତିନି ଜଣଙ୍କ ମୃତ୍ୟୁ ଘଟିବା ପରେ ସମଗ୍ର ଅଞ୍ଚଳରେ ଭୟର ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ରାମବାସୀମାନେ ଘରୁ ବାହାରିବାକୁ ଭୟ କରୁଥିବା ବେଳେ ବନାଞ୍ଚଳ ସମୀପର ଗ୍ରାମଗୁଡିକରେ ଆତଙ୍କ ଛାଇ ଯାଇଛି।ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦନ୍ତା ହାତୀର ଗତିବିଧି ଉପରେ ନଜର ରଖୁଛି। ସେହିସହିତ ସ୍ଥାନୀୟ ଲୋକଙ୍କୁ ସଚେତନ ରହିବାକୁ ଓ ବନାଞ୍ଚଳକୁ ଏକାକୀ ନଯିବାକୁ ପରାମର୍ଶ ଦିଆଯାଇଛି। ବନ ବିଭାଗ ପକ୍ଷରୁ ହାତୀକୁ ଜଙ୍ଗଲ ଅଭିମୁଖେ ଘୁଞ୍ଚାଇବା ପାଇଁ ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି।ସ୍ଥାନୀୟ ଲୋକମାନେ ହାତୀ ଆତଙ୍କ ରୋକିବା ସହ ମୃତକଙ୍କ ପରିବାରକୁ ଯଥୋଚିତ ସହାୟତା ଦେବା ପାଇଁ ସରକାର ଓ ବନ ବିଭାଗଙ୍କୁ ଦାବି କରିଛନ୍ତି।





