ହିଜାବ ବିବାଦକୁ ନେଇ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ଟ୍ବିଟ୍‌ କଲେ କନ୍ନଡ ଅଭିନେତା ଚେତନ କୁମାର ଅହିଂସା, ବାନ୍ଧିନେଲା ପୋଲିସ

ହିଜାବ ବିବାଦକୁ ନେଇ ଟ୍ୱିଟ କରିବା କନ୍ନଡ ଅଭିନେତା ତଥା ସାମାଜିକ କର୍ମୀ ଚେତନ କୁମାର ଅହିଂସାକୁ ପଡିଛି ମହଙ୍ଗା | ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ଟ୍ବିଟ୍‌ କରିଥଲେ ଚେତନ କୁମାର ଅହିଂସା | ଫଳରେ ପୋଲିସ ତାଙ୍କୁ ଗିରଫ କରିଛି | ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ମାନହାନିକର ଟ୍ୱିଟ୍ ପୋଷ୍ଟ କରିଥିଲେ ଚେତନ |

ତାଙ୍କ ବିରୋଧରେ ଥାନାରେ ଆଇପିସିର ଧାରା ୫୦୫-୨, ୫୦୪ ଅନୁସାରେ ମାମଲା ଦାୟର ହେବା ପରେ ଚେତନଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ସିଟି ପୋଲିସ। ଚେତନଙ୍କ ଗିରଫଦାରୀ ନେଇ ସୂଚନା ଦେଇଛନ୍ତି ଡେପୁଟି ପୋଲିସ କମିଶନର ଏମ.ଏନ. ଅନୁଚେଠ। ହିଜାବ ମାମଲାର ବିଚାର କରୁଥିବା ଜଣେ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ବିବାଦୀୟ ଟ୍ୱିଟ କରିଥିବାରୁ ପୋଲିସ ନିଜ ଆଡୁ ଏହି ମାମଲା ରୁଜୁ କରିଥିଲା |

ଚେତନ କୁମାର ୧୬ ଫେବୃଆରୀରେ ଜଷ୍ଟିସ କୃଷ୍ଣ ଦୀକ୍ଷିତଙ୍କ ବିଷୟରେ ଏକ ପୁରୁଣା ଟ୍ୱିଟକୁ ରିଟ୍ୱିଟ କରିଥିଲେ। ସେହି ପୁରୁଣା ଟ୍ୱିଟରେ ଜଷ୍ଟିସ କୃଷ୍ଣ ଦୀକ୍ଷିତଙ୍କୁ ଗିରଫ ପୂର୍ବରୁ ଜଣେ ବଳାତ୍କାର ଅଭିଯୁକ୍ତକୁ ଜାମିନ ପ୍ରଦାନ କରିବାକୁ କୁହାଯାଇଥିଲା। ଏହାକୁ ରିଟ୍ୱିଟ କରି ଚେତନ କୁମାର ହିଜାବ ବିବାଦକୁ ନେଇ ଜଷ୍ଟିସ କୃଷ୍ଣ ଦୀକ୍ଷିତଙ୍କ ଉପରେ ଆପତ୍ତିଜନକ ଟ୍ବିଟ୍‌ ଦେଇଥିଲେ |

ଦେଶରେ ଏବେ ହିଜାବ ବିବାଦ ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଥିବା ବେଳେ, ଏହାକୁ ନେଇ ରାଜନୀତିକରଣ ଓ ଆରୋପ ଓ ପ୍ରତ୍ୟାରୋପ ଜାରି ରହିଛି |

Related Posts