ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ନିଯୁକ୍ତି ପାଇଛନ୍ତି ରାଜ୍ୟର ୧.୪୯ ଲକ୍ଷ ଯୁବକଯୁବତୀ

ଭୁବନେଶ୍ଵର,୧/୩(ସତ୍ୟପାଠ ବ୍ୟୁରୋ): ଓର୍‌ମାସ ଜରିଆରେ ରାଜ୍ୟରେ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ତାଲିମ କାର୍ଯ୍ୟକ୍ରମ ଜାରି ରହିଛି। ଏହା ଆରମ୍ଭ ହେବାଠାରୁ ଏ ପର୍ଯ୍ୟନ୍ତ ରାଜ୍ୟକୁ ମୋଟ୍ ୬୧୪.୬୧ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ମିଳିଛି। ରାଜ୍ୟ ସରକାର ଏ ବାବଦରେ ୩୮୨.୯୬ କୋଟି ଟଙ୍କା ବ୍ୟୟ କରିଛନ୍ତି। ଏହି ଯୋଜନାରେ ରାଜ୍ୟର ୨,୧୫,୫୯୩ଜଣ ଯୁବକଯୁବତୀ ବିଭିନ୍ନ ଟ୍ରେଡରେ ତାଲିମ ପାଇଛନ୍ତି।ସେମାନଙ୍କ ମଧ୍ୟରୁ ୧,୪୯,୬୦୩ଜଣ ଯୁବକ ଓ ଯୁବତୀ ବିଭିନ୍ନ ବେସରକାରୀ ସଂସ୍ଥାରେ ନିଯୁକ୍ତି ପାଇଥିବା ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଘଡ଼ାଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (ପିଏମ୍‌କେଭିୱାଇ ୨.୦ ସିଏସ୍‌ଏସ୍‌ଏମ୍‌) କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ, ନିୟମାବଳୀ ଅନୁଯାୟୀ ଓ ସଂପୂର୍ଣ୍ଣ ଆର୍ଥିକ ସହାୟତାରେ ନିୟୋଜନ ନିର୍ଦେଶାଳୟ ଦ୍ବାରା କାର୍ଯ୍ୟକାରୀ ହୋଇଥିଲା। ଏହି ଯୋଜନା ଅଧୀନରେ ବର୍ତ୍ତମାନସୁଦ୍ଧା ୯୯୧ଜଣ ଯୁବକ ଓ ଯୁବତୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ସେହିପରି ପିଏମ୍‌କେଭିୱାଇ ୩.୦ ସିଏସ୍‌ଏସ୍‌ଏମ୍‌, କେନ୍ଦ୍ର ସରକାରଙ୍କ ଦ୍ବାରା ୧୫ ଜାନୁଆରି ୨୦୨୧ରୁ ଆରମ୍ଭ ହୋଇଥିଲା। ପିଏମ୍‌କେଭିୱାଇ ୩.୦ ସିଏସ୍‌ଏସ୍‌ଏମ୍‌ ଅଧୀନରେ ବର୍ତ୍ତମାନସୁଦ୍ଧା ୨୩୫୬ଜଣ ଯୁବକ ଓ ଯୁବତୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ଗତ ୬ବର୍ଷ(୨୦୧୭/୧୮ରୁ ୨୦୨୨/୨୩) ଭିତରେ କେନ୍ଦ୍ର ସରକାରଙ୍କଠାରୁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ପାଇଁ ୨୭,୭୧,୪୯,୧୮୪ ଟଙ୍କା ଅନୁଦାନ ଆକାରରେ ମିଳିଛି। ଏହି ଅନୁଦାନଠାରୁ ମୋଟ ୭,୩୭,୩୩,୧୨୭ ଟଙ୍କା ବ୍ୟୟ କରାଯାଇଛି। ଯୁବକ ଓ ଯୁବତୀମାନେ ତାଲିମ ପାଇସାରିଲା ପରେ ତାଲିମ ପ୍ରଦାନକାରୀ ସଂସ୍ଥାମାନେ ରାଜ୍ୟ ବାହାରେ ଓ ରାଜ୍ୟ ଭିତରେ ବିଭିନ୍ନ ବେସରକାରୀ ସଂସ୍ଥାମାନଙ୍କରେ ନିଯୁକ୍ତି ପ୍ରଦାନ କରୁଛନ୍ତି।

Related Posts