ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟ ସରକାର ଦୁର୍ନୀତିକୁ ନେଇ ‘ଜିରୋ ଟଲେରାନ୍ସ’ ନୀତି ଅବଲମ୍ବନ କରୁଥିବା ନେଇ କହୁଥିବା ବେଳେ ରାଜ୍ୟରେ ଚାଲିଥିବା ଦୁର୍ନୀତିର ଚିତ୍ର ଖୋଦ୍ ମନ୍ତ୍ରୀଙ୍କ ଉତ୍ତରରୁ ସ୍ପଷ୍ଟ ହୋଇଛି। ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ରଖି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ଜଳସମ୍ପଦ ବିଭାଗରେ ଗତ ୧୦ବର୍ଷ ମଧ୍ୟରେ ମୋଟ୍ ୧୩୦ଜଣ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ମାମଲାର ସମ୍ମୁଖୀନ ହେବାକୁ ପଡ଼ିଛି।
ଗତକାଲି ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ଗତ ୨୦୧୭ରୁ ୨୦୨୨ ମସିହା ମଧ୍ୟରେ ଜଳସମ୍ପଦ ବିଭାଗରେ କାର୍ଯ୍ୟରତ ମୋଟ ୬୦ଜଣ ଯନ୍ତ୍ରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି । ସେମାନଙ୍କ ଘର ଓ ଅଫିସରେ ଚଢ଼ଉବେଳେ କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି ତା’ର ବିବରଣୀ ଭିଜିଲାନ୍ସ ବିଭାଗରୁ ମିଳିପାରିନି । ତେବେ ୨୦୧୨ରୁ ୨୦୧୬ ମସିହା ମଧ୍ୟରେ ଜଳସମ୍ପଦ ବିଭାଗର ୭୦ଜଣ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀଙ୍କ ନାଁରେ ଭିଜିଲାନ୍ସ ମାମଲା ରୁଜୁ କରିଥିଲା । ଏହି ସଂଖ୍ୟାକୁ ଦେଖିଲେ ୨୦୧୨ ରୁ ୨୦୨୨ ଗତ ଦଶ ବର୍ଷ ମଧ୍ୟରେ କେବଳ ଜଳସମ୍ପଦ ବିଭାଗର ୧୩୦ ଜଣ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି।
ସୂଚନାଯୋଗ୍ୟ, ଜଳସମ୍ପଦ ବିଭାଗରେ ଇଞ୍ଜିନୟରିଂ ସର୍ଭିସ କ୍ୟାଡ଼ରରେ ମୋଟ ସ୍ୱୀକୃତିପ୍ରାପ୍ତ ୧୬୦୮ଟି ପଦବୀ ରହିଛି ।
ପ୍ରକାଶଥାଉ କି, ଗୁରୁବାର ଠାରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହୋଇଛି । ଗତକାଲି ଅଧିବେଶନର ପ୍ରଥମ ଦିବସରେ ରାଜ୍ୟର ଅତିରିକ୍ତ ବଜେଟ ଆଗତ ହୋଇଛି। ଷୋଡଶ ବିଧାନସଭାର ୧୧ତମ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଛି ।





