ଭୁବନେଶ୍ଵର,୩/୩(ସତ୍ୟପାଠ ବ୍ୟୁରୋ): ଉଜବେକିସ୍ତାନରେ ଭାରତୀୟ କଫ୍ ସିରପ ଦ୍ବାରା ହୋଇଥିବା ଶିଶୁ ମୃତ୍ୟୁ ଘଟଣାରେ ନୋଏଡା ସ୍ଥିତ ଔଷଧ କମ୍ପାନୀର ୩ ଜଣ ଅଧିକାରୀଙ୍କୁ ଗିରଫ କରିଛି ପୋଲିସ । ଗତ ଡିସେମ୍ବର ମାସରେ, ଉଜବେକିସ୍ତାନ ଦାବି କରିଥିଲା ଯେ, ଭାରତୀୟ କଫ୍ ସିରପ ସେବନ ଯୋଗୁଁ ତାଙ୍କ ଦେଶରେ ୧୮ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ଗୁରୁବାର ଏହି ଘଟଣାରେ ଏଫ୍ଆଇଆର୍ ଦାଖଲ ହେବା ପରେ ଏହି ତିନିଜଣଙ୍କୁ ଗିରଫ କରାଯାଇଛି ।ଭାରତର ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସସିଓ) ର ଡ୍ରଗ୍ ଇନ୍ସପେକ୍ଟର ଏହି ଅଭିଯୋଗ କରିଥିଲେ । ଏଥିରେ ଭାରତୀୟ କମ୍ପାନୀ ମାରିଅନ୍ ବାୟୋଟେକ୍ ର ଦୁଇ ନିର୍ଦ୍ଦେଶକଙ୍କ ସମେତ ପାଞ୍ଚ ଜଣଙ୍କ ନାମ ରହିଥିଲା ।
ଉଜବେକିସ୍ତାନରେ ୧୮ ଜଣ ଶିଶୁଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶର ଫୁଡ୍ ସିକ୍ୟୁରିଟି ଏବଂ ଡ୍ରଗ୍ ଆଡମିନିଷ୍ଟ୍ରେସନ (FSDA) ବିଭାଗ ନୋଏଡା ସେକ୍ଟର-୬୭ ସ୍ଥିତ ଔଷଧ ଫାର୍ମ ମାରିଅନ୍ ବାୟୋଟେକ୍ ପ୍ରାଇଭେଟ୍ ଲିମିଟେଡର ଔଷଧ ଉତ୍ପାଦନ ଲାଇସେନ୍ସକୁ ସ୍ଥଗିତ ରଖିଥିଲେ । ଡ୍ରଗ୍ ରେକର୍ଡ ରକ୍ଷଣାବେକ୍ଷଣ ବ୍ୟତୀତ କଞ୍ଚାମାଲ କ୍ରୟ ବିଷୟରେ ଠିକ୍ ସମୟରେ ସୂଚନା ପ୍ରଦାନ ନକରିବାରୁ କମ୍ପାନୀର ଡ୍ରଗ୍ ଉତ୍ପାଦନ ଲାଇସେନ୍ସକୁ ସ୍ଥଗିତ ରଖାଯାଇଛି ।
ପୋଲିସ କମିସନରଙ୍କ କାର୍ଯ୍ୟାଳୟ କହିଛି ଯେ ଗାଜିଆବାଦର ଡ୍ରଗ୍ ଇନ୍ସପେକ୍ଟର ଆଶିଷ ଗତକାଲି ରାତିରେ ପୋଲିସ ଷ୍ଟେସନରେ ଏହି ମାମଲା ଦାଖଲ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ ସେକ୍ଟର ୬୭ ରେ ଅବସ୍ଥିତ ଏକ ଫାର୍ମାସ୍ୟୁଟିକାଲ୍ କମ୍ପାନୀରେ ଉତ୍ପାଦିତ କଫ୍ ସିରପ ମାନକ ପୂରଣ କରୁନାହିଁ । କାର୍ଯ୍ୟାଳୟ କହିଛି ଯେ ଏହି ମାମଲାରେ କମ୍ପାନୀର ନିର୍ଦ୍ଦେଶକ ଜୟା ଜୈନ, ସଚିନ ଜୈନ, ଅପରେସନ୍ ହେଡ୍ ଟୁହିନ୍ ଭଟ୍ଟାଚାର୍ଯ୍ୟ, ମାନୁଫ୍ୟାକ୍ଚରିଙ୍ଗ କେମିଷ୍ଟ ଅତୁଲ ରାୱଲ୍ ଏବଂ ମୁଲ୍ ସିଂ ଆଦିଙ୍କ ବିରୋଧରେ ମାମଲା ପଞ୍ଜିକୃତ ହୋଇଛି । କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ କହିବାନୁସାରେ, ପୋଲିସ ତୁହିନ ଭଟ୍ଟାଚାର୍ଯ୍ୟ, ଅତୁଲ ରାୱତ ଏବଂ ମୋଲ ସିଂଙ୍କୁ ଗିରଫ କରିଛି । ଅନ୍ୟ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ । ସେମାନେ ବର୍ତ୍ତମାନ ଫେରାର ଅଛନ୍ତି । ପୋଲିସ ଅନୁସନ୍ଧାନ କରୁଛି ।





