ଆଜିଠାରୁ ୨ ଦିନିଆ ଜି-୨୦ ସମ୍ମିଳନୀ; ଦିଲ୍ଲୀରେ ବିଶ୍ଵ ନେତାଙ୍କୁ ଭବ୍ୟ ସ୍ଵାଗତ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜିଠାରୁ ଦିଲ୍ଲୀରେ ଦୁଇ ଦିନିଆ ଜି-୨୦ ସମ୍ମିଳନୀ ଆରମ୍ଭ ହେବ। ପ୍ରଗତି ମଇଦାନର ଆଇଟିପିଓ କନ୍‌ଭେନସନ ସେଣ୍ଟର‌ ‘ଭାରତ ମଣ୍ଡପମ’ରେ ଭାରତ ଅଧ୍ୟକ୍ଷତାରେ ୧୮ତମ ବ‌ାର୍ଷିକ ଜି-୨୦ ସମ୍ମିଳନୀ ହେବାକୁ ଯାଉଛି। ଏଥର ସମ୍ମିଳନୀର ଥିମ୍‌ ରହିଛି ‘ବସୁଧୈବ କୁଟୁମ୍ବକମ୍‌’, ଯାହାର ଅର୍ଥ ହେଉଛି ସମଗ୍ର ବିଶ୍ବ ଗୋଟିଏ ପରିବାର।

ଜି-୨୦ ସମ୍ମିଳନୀ ଉପରେ ସାରା ବିଶ୍ବର ନଜର ରହିଥିବା ବେଳେ ଏହାର ସଦସ୍ୟ ରାଷ୍ଟ୍ର ଏବଂ ସ୍ବତନ୍ତ୍ର ଭାବେ ଆମନ୍ତ୍ରିତ ରାଷ୍ଟ୍ରର ମୁଖ୍ୟମାନେ ଭାରତରେ ପହଞ୍ଚିବା ପ୍ରକ୍ରିୟା ଜାରି ରହିଛି। ସେମାନଙ୍କୁ ସ୍ବାଗତ କରିବାପାଇଁ ବିମାନବନ୍ଦରରେ ଭବ୍ୟ ଆୟୋଜନ କରାଯାଇଛି। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଅତିଥିମାନଙ୍କୁ ସ୍ବାଗତ କରାଯାଉଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡ଼ା, ଚୀନ୍‌ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ, କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ଼ୁ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା, ଓମାନ ଉପପ୍ରଧାନମନ୍ତ୍ରୀ ଆସାଦ ବିନ ତାରିକ ବିନ ତଇମୁର , ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ‌ମେଲୋନି, ୟୁଏଇ ରାଷ୍ଟ୍ରପତି ସେଖ୍‌ ମହମ୍ମଦ ବିନ ଜାୟେଦ ଅଲ ନହୟାନ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା , ଜର୍ମାନ ଚାନ୍ସଲର ଓଲାଫ୍‌ ସ୍କଲ୍‌ଜ, ରୁଷ୍‌ ବିଦେଶ ମନ୍ତ୍ରୀ ସେର୍ଗି ଲାବରୋବ ଏବଂ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଭାରତ ପହଞ୍ଚି ସାରିଛନ୍ତି। ଅନ୍ୟ ବିଶ୍ବନେତାଙ୍କ ଆସିବା ପ୍ରକ୍ରିୟା ଜାରି ରହିଛି।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସମେତ ମୋଟ୍‌ ୩ ରାଷ୍ଟ୍ରନେତାଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ବାଇଡେନ ଶୁକ୍ରବାର ଦିଲ୍ଲୀ ବିମାନ ବନ୍ଦରରୁ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ ଏବଂ ସେଠାରେ ବିଭିନ୍ନ ଦ୍ବିପାକ୍ଷିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଦୁଇ ନେତା ଆଲୋଚନା କରିଥିଲେ। ପ୍ରାୟ ୧ ଘଣ୍ଟାର ଆଲୋଚନା ପରେ ବାଇଡେନ ହୋଟେଲ ଆଇଟିସି ମୌର୍ଯ୍ୟକୁ ଯାଇଥିଲେ। ଆଜି ରାଷ୍ଟ୍ରପତିଙ୍କ ଦ୍ବାରା ଜି-୨୦ ପ୍ରତିନିଧିଙ୍କ ପାଇଁ ନୈଶ ଭୋଜନର ଆୟୋଜନ କରାଯାଇଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଟ୍ବିଟ୍‌ କରି କହିଛନ୍ତି, ଏକ ଫଳପ୍ରଦ ସମ୍ମିଳନୀ ହେବ ବୋଲି ଆଶା କରାଯାଉଛି। ମାନବ କୈନ୍ଦ୍ରିକ ଏବଂ ସମାବେଶୀ ବିକାଶ ଦିଗରେ ଜି-୨୦ ସମ୍ମିଳନୀ ଏକ ନୂଆ ଦିଗ ଦେଖାଇବ ବୋଲି ଆଶା କରାଯାଉଥିବା ସେ କହିଛନ୍ତି। ବିଦେଶ ସଚିବ ବିନୟ କ୍ବାତ୍ରା କହିଛନ୍ତି, ଜି-୨୦ ମିଳିତ ଘୋଷଣାପତ୍ରରେ ସମସ୍ତଙ୍କର ସହମତି ପାଇଁ ପ୍ରୟାସ ଜାରି ରହିଛି। ଭାରତର ଜି-୨୦ ସେର୍ପା ଅମିତାଭ କାନ୍ତ କହିଛନ୍ତି, ଆମେ ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ସହ କାମ କରିବାପାଇଁ ଏବଂ ସେମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବାପାଇଁ ସକ୍ଷମ ହୋଇଛୁ। ନୂଆଦିଲ୍ଲୀ ଘୋଷଣାନାମା ପ୍ରସ୍ତୁତ ହୋଇସାରିଛି ବୋଲି ସେ କହିଛନ୍ତି। ଜି-୨୦ ବୈଠକ ପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ ନୋ ଫ୍ଲାଏ ଜୋନ୍‌ ହୋଇଛି। ସ୍କୁଲ୍‌, ବ୍ୟାଙ୍କ୍‌ ଏବଂ ସମସ୍ତ ସରକାରୀ ଅଫିସ ବନ୍ଦ ରହିଛି। ୧ ଲକ୍ଷରୁ ଅଧିକ ସୁରକ୍ଷା କର୍ମୀ ନିୟୋଜିତ ଅଛନ୍ତି। ବାୟୁସୀମା ସୁରକ୍ଷା ପାଇଁ ଯୁଦ୍ଧବିମାନ ମୁତୟନ ହୋଇଛି।

Related Posts