ଶପଥ ନେଲେ ସୁପ୍ରିମକୋର୍ଟର ୨ ନୂଆ ବିଚାରପତି, ବିଚାରପତି ସଂଖ୍ୟା ୩୨କୁ ବୃଦ୍ଧି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ବିଚାରପତି ଉଜ୍ଜ୍ବଳ ଭୂୟାଁ ଏବଂ ବିଚାରପତି ଏସ୍‌. ଭେଙ୍କଟନାରାୟଣ ଭଟ୍ଟୀଙ୍କୁ ସୁପ୍ରିମ୍‌କୋର୍ଟର ନୂଆ ବିଚାରପତି ଭାବେ ଶପଥ ପାଠ କରାଇଛନ୍ତି। ସୁପ୍ରିମ୍‌ କୋର୍ଟର ଅଡିଟରିୟମ୍‌ରେ ଦୁଇ ନୂଆ ବିଚାରପତିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଚାରପତି ଭୂୟାଁ ଓ ଭଟ୍ଟୀ ଶପଥ ଗ୍ରହଣ କରିବା ପରେ ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ନିୟମାନୁସାରେ, ପ୍ରଧାନ ବିଚାରପତିଙ୍କୁ ମିଶାଇ ସୁପ୍ରିମ୍‌ କୋର୍ଟର ବିଚାରପତି ସଂଖ୍ୟା ୩୪ ହେବା କଥା।

ଏହା ପୂର୍ବରୁ ବିଚାରପତି ଭୂୟାଁ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଓ ବିଚାରପତି ଭଟ୍ଟୀ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ସୁପ୍ରିମ୍‌କୋର୍ଟର ବିଚାରପତି ଭାବେ ନିଯୁକ୍ତି ‌ଦେବାକୁ ଜୁଲାଇ ୧୨ ତାରିଖ ଦିନ କେନ୍ଦ୍ର ସରକାର ସେମାନଙ୍କ ନାମ ଅନୁମୋଦନ କରିଥିଲେ। ହାଇକୋର୍ଟର ଉକ୍ତ ଦୁଇ ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ଉନ୍ନୀତ କରାଗଲା ବୋଲି ବୁଧବାର ଦିନ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍‌ ଘୋ‌ଷଣା କରିଥିଲେ।

ଭାରତର ପ୍ରଧାନ ବିଚାରପତିଙ୍କ ନେତୃତ୍ବରେ ସୁପ୍ରିମ୍‌ କୋର୍ଟର କଲିଜିୟମ୍‌ ଜୁଲାଇ ୫ ତାରିଖ ଦିନ ଦୁହିଁଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବାକୁ ସୁପାରିସ କରିଥି‌ଲା।

Related Posts