ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପ୍ରକାଶ ପାଇଛି ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୭୦ ହଜାର ୧୦୫ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । କଳାରେ ୪୯ ହଜାର ୭୦ ଜଣ, ବାଣିଜ୍ୟରେ ୩ ହଜାର ୧ ଶହ ୮୨ ଜଣ ଓ ବିଜ୍ଞାନରେ ୧୬ ହଜାର ୯ଶହ ୨୭ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ସେହିପରି ସଂସ୍କୃତରେ ୩୫୩ ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫୭୩ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ପ୍ରଥମ ମେଧା ତାଲିକାରେ ନାମଲେଖା ପରେ ଖାଲି ପଡ଼ିଥିବା ସିଟ୍ ପୂରଣ ପାଇଁ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ ଯେ, ଜୁଲାଇ ୬ରେ ପ୍ରକାଶ ପାଇଥିଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ତାଲିକା । ବିଜ୍ଞାନରେ ୯୧.୬୭% ସହ କଟକ ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ ଆଗରେ ରହିଥିଲା । ଦ୍ୱିତୀୟରେ ୯୦% ସହ ବାଲେଶ୍ୱର ଫକୀର ମୋହନ ହାଇଅର ସେକେଣ୍ଡାରୀ ସ୍କୁଲ୍ ଓ ୮୯% ସହ ବିଜେବି ହାଇଅର୍ ସେକେଣ୍ଡାରୀ ସ୍କୁଲ ତୃତୀୟରେ ରହିଥିଲା । ସେହିଭଳି କଳାରେ ବି ୮୦% ସହ ଆଗରେ ରହିଥିଲା ରେଭେନ୍ସା । ଦ୍ୱିତୀୟରେ ୭୮% ସହ ରାଉରକେଲା ସରକାରୀ ହାଇଅର ସେକେଣ୍ଡାରୀ ସ୍କୁଲ ଓ ତୃତୀୟରେ ୭୮.୬୭% ସହ ଟିଟଲାଗଡ଼ ଡିଏଭି ହାଇଅର ସେକେଣ୍ଡାରୀ ସ୍କୁଲ ରହିଥିଲେ । ବାଣିଜ୍ୟରେ ବି ରେଭେନ୍ସା ୭୯. ୨୦% କଟ୍ ଅଫ୍ ମାର୍କ ସହ ଆଗରେ ରହିଥିଲା । ଏହା ପରେ ଜୁଲାଇ ୭ରୁ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ ହୋଇଥିଲା ।





