200 ଟଙ୍କା କମିଲା LPG ଦର; ନିର୍ବାଚନୀ ଲଲିପପ୍ କହି ସମାଲୋଚନା କଲେ ଖଡ଼ଗେ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାକ୍ଷୀ ପୁର୍ଣିମା ପୂର୍ବରୁ ସାରା ଦେଶରେ LPG ଗ୍ୟାସ ଦର 200 ଟଙ୍କା କମାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି | ଗତକାଲି କେନ୍ଦ୍ର କ୍ୟାବିନେଟରେ ଏହି ପ୍ରସ୍ତାବ ପାରିତ ହୋଇଛି | ବିଜେପି ପକ୍ଷରୁ ଏହାକୁ ଦେଶର ମହିଳା ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ରାକ୍ଷୀ ଉପହାର ବୋଲି କୁହାଯାଉଥିବା ବେଳେ ବିରୋଧୀ ଏହାକୁ ନିର୍ବାଚନୀ ଲଲିପପ୍ କହି କଡା ସମାଲୋଚନା କରିଛନ୍ତି |

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଟ୍ୱିଟି କରି ମୋଦି ସରକାରକୁ ଟାର୍ଗେଟ କରି କହିଛନ୍ତି ଯେ, ନିର୍ବାଚନ ପଖାଉଥିବା ବେଳେ ଜନତାଙ୍କୁ ଲୁଟୁଥିବା ମୋଦି ସରକାର ଏବେ ଉପହାର ଦେବା ଆରମ୍ଭ କରିଛି | 9 ବର୍ଷ ଧରି 400 ଟଙ୍କାର ଗ୍ୟାସ ସିଲିଣ୍ଡରକୁ 1100 ଟଙ୍କାରେ ଦେଇ ଏବେ ନିର୍ବାଚନୀ ଲଲିପପ୍ ଦେଇ ଭୋଟ ହାତେଇବାକୁ ପ୍ରୟାସ କରୁଛି | ରାଜସ୍ଥାନରେ କଂଗ୍ରେସ ସରକାର 500 ଟଙ୍କାରେ ଗ୍ୟାସ ସିଲିଣ୍ଡର ଦେବା ଆରମ୍ଭ କରିଥିବାବେଳେ ଖୁବଶୀଘ୍ର ଅନ୍ୟ ରାଜ୍ୟ ଗୁଡିକରେ କଂଗ୍ରେସ ସରକାର 500 ଟଙ୍କାରେ ଗ୍ୟାସ ଦେବ ବୋଲି ସେ କହିଛନ୍ତି | ବିରୋଧୀ ଇଣ୍ଡିଆ ମେଣ୍ଟର ଭୟରେ ମୋଦି ସରକାର ଏହି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି | ହେଲେ 200 ଟଙ୍କା ସବସିଡି ଦେଇ ଦେଶର ଜନତାଙ୍କ ଆକ୍ରୋଶକୁ କମ କରାଯାଇ ପାରିବ ନାହିଁ | ଦେଶର ଜନତା ମୋଦି ସରକାରକୁ Exit Door ଦେଖେଇବାର ନିଷ୍ପତ୍ତି ନେଇ ସାରିଛନ୍ତି ବୋଲି ଖଡ଼ଗେ କହିଛନ୍ତି |

ତେବେ 2014ରେ ମୋଦି ସରକାର କ୍ଷମତାକୁ ଆସିବା ସମୟରେ 400 ଟଙ୍କାରେ ମିଳୁଥିବା ଗ୍ୟାସ ଏବେ ପାଖାପାଖି 1100 ଟଙ୍କାରେ ମିଳୁଛି | ଏହାକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରୁଥିବାବେଳେ ଏବେ ସରକାର 200 ଟଙ୍କା ସବସିଡି ଘୋଷଣା କରିଛନ୍ତି | ଆଗକୁ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଓ ଦେଶର ଲୋକସଭା ନିର୍ବାଚନ ଥିବାବେଳେ ଏହି ନିଷ୍ପତ୍ତି ବିଜେପିକୁ କେତେ ଫାଇଦା ଦେଉଛି ତାହା ଦେଖିବାକୁ ବାକି ରହିଲା |

Related Posts