ଭୁବନେଶ୍ୱର,୮/୫(ସତ୍ୟପାଠ ବ୍ୟୁରୋ): ସ୍ବତନ୍ତ୍ର ହେବ ୨୦୨୪ ସାଧାରଣତନ୍ତ୍ର ଦିବସ। ଦିଲ୍ଲୀର କର୍ତ୍ତବ୍ୟପଥରୁ ନାରୀଶକ୍ତି ଦେଖିବ ସମଗ୍ର ଦେଶ । ନାରୀଶକ୍ତିର କଥା ଓ ଗାଥାର ସାକ୍ଷୀ ହେବ କର୍ତ୍ତବ୍ୟପଥ । ନାରୀଶକ୍ତିକୁ ସମ୍ମାନ ଦେଇ ୨୦୨୪ ସାଧାରଣତନ୍ତ୍ର ଦିବସ ପରେଡରେ କେବଳ ମହିଳାଙ୍କୁ ସାମିଲ କରାଯିବ । ମାର୍ଚ୍ଚପାଷ୍ଟ, ବ୍ୟାଣ୍ଡ, କଳାକୌଶଳରେ କେବଳ ମହିଳାମାନେ ସାମିଲ ହେବେ । ଏନେଇ ସେନା ଓ ବିଭିନ୍ନ ବିଭାଗକୁ ପ୍ରତିରକ୍ଷାମନ୍ତ୍ରାଳୟ ଚିଠି ଲେଖିଛି ।
ଗତ କିଛି ବର୍ଷରୁ ଗଣତନ୍ତ୍ର ଦିବସ ପରେଡରେ ମହିଳାଙ୍କ ଭାଗୀଦାରି ବଢିବାରେ ଲାଗିଛି । କିଛି ପରେଡରେ ମହିଳାମାନେ ମଧ୍ୟ ନେତୃତ୍ବ ନେଇଥିବା ଦେଖିବାକୁ ମିଳିଛି । କିନ୍ତୁ ଏଥର ନିଆରା ଢଙ୍ଗରେ ୨୦୨୪ ସାଧାରଣତନ୍ତ୍ର ଦିବସ ପରେଡ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ପରେଡରେ କେବଳ ମହିଳାଙ୍କୁ ସାମିଲ କରିବାକୁ ସ୍ଥିର ହୋଇଛି । ପ୍ରତିରକ୍ଷା କ୍ଷେତ୍ରରେ ମହିଳାଙ୍କ ଉପସ୍ଥିତି ବଢାଇବାକୁ କେନ୍ଦ୍ର ଏହି ନିଷ୍ପତ୍ତି ନେଇଛି । ବିଶେଷ କରି ୨୦୨୪ ସାଧାରଣତନ୍ତ୍ର ଦିବସ ମହିଳାଙ୍କୁ ସମର୍ପିତ ଉତ୍ସବ ହେବାକୁ ଯାଉଛି । ଚଳିତବର୍ଷ ଫେବୃଆରୀରେ ବସିଥିବା ଡି-ବ୍ରିଫିଂ ବୈଠକରେ ଏହି ନିଷ୍ପତ୍ତି ନିଯାଇଥିଲା । ଏ ବାବଦରେ ସ୍ବରାଷ୍ଟ୍ର, ଗୃହ, ସଂସ୍କୃତି ସମେତ ଚିଫ ଅଫ ଡିଫେନ୍ସ ଷ୍ଟାଫଙ୍କ ସମେତ ନୌସେନା, ସ୍ଥଳସେନା ଏବଂ ବାୟୁସେନା ମୁଖ୍ୟଙ୍କୁ ଚିଠି ଲେଖାଯାଇ ଅବଗତ କରାଯାଇଛି ।
କେନ୍ଦ୍ର ସରକାର ସେନାରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହନ ଦେବାକୁ ମହିଳାଙ୍କୁ ଆଗ ଧାଡିରେ ରଖିଛନ୍ତି । ସେନାରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରାଯାଇଛି । ଏମାନଙ୍କୁ ପାକିସ୍ତାନ ଚୀନ ସୀମାରେ ମୁତୟନ କରାଯାଇଛି । ବିଶିଷ୍ଟ ଅଫିସର କ୍ୟାଡରରେ ୩,୯୦୦ ଜଣ ମହିଳା ଅଧିକାରୀ ରହିଛନ୍ତି । ସେହିପରି ସ୍ଥଳ ସେନାରେ ୧୭୧୦, ବାୟୁସେନାରେ ୬୦୦ ଓ ନୌସେନାରେ ୬୦୦ ମହିଳା ଅଧିକାରୀ ଅଛନ୍ତି । ଚଳିତ ବର୍ଷ ୭୪ତମ ଗଣତନ୍ତ୍ର ଦିବସ କେରଳ, ତାମିଲନାଡୁ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ତ୍ରିପୁରା ପ୍ରଜ୍ଞାପନ ମେଢରେ ‘ନାରୀଶକ୍ତି’ ବିଷୟବସ୍ତୁ ରହିଥିଲା ।
୨୦୧୫ରେ ପ୍ରଥମ ଥର ପାଇଁ ସମସ୍ତ ସ୍ଥଳ, ବାୟୁ ଓ ନୌସେନାର ମହିଳା କଣ୍ଟିଜେଣ୍ଟ ପରେଡରେ ସାମିଲ ହୋଇଥିଲେ । ୨୦୧୯ରେ କ୍ୟାପ୍ଟେନ ଶିକ୍ଷା ସୁରଭି ପ୍ରଥମ ମହିଳା ଅଧିକାରୀ ଭାବେ ଡେୟାରଡେଭିଲ୍ସ ବାଇକ ଷ୍ଟଣ୍ଟ କରିଥିଲେ । ପରବର୍ଷ ତାନିୟା ସେରଗିଲ ପ୍ରଥମ ମହିଳା ଭାବେ ସମସ୍ତ ପୁରୁଷ କଣ୍ଟିଜେଣ୍ଟରେ ନେତୃତ୍ବ ନେଇଥିଲେ । ୨୦୧୨ରେ ଫ୍ଲାଇଟ ଲେଫ୍ଟନାଣ୍ଟ ଭାବନା କନ୍ଥ ପ୍ରଥମ ମହିଳା ଫାଇଟର ପାଇଲଟ ଭାବେ ପରେଡରେ ଭାଗ ନେଇଥିଲେ । ତେବେ ୨୦୨୪ ଗଣତନ୍ତ୍ର ଦିବସ ପରେଡରେ କେବଳ ମହିଳା କଣ୍ଟିଜେଣ୍ଟଙ୍କୁ ସାମିଲ କରିବା ନିଷ୍ପତ୍ତି ମହିଳାଙ୍କ ଆତ୍ମବିଶ୍ବାସ ବଢାଇବ ବୋଲି ମତ ପ୍ରକାଶ ପାଇଛି ।





