ଭୁବନେଶ୍ୱର,୧୭/୨(ସତ୍ୟପାଠ ବ୍ୟୁରୋ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ ଅଛୁ। ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ସମୀକ୍ଷା ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଶନିବାର ଏହା କହିଛନ୍ତି। ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସିଇସି କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନକୁ ନିର୍ବିଘ୍ନରେ ପରିଚାଳନ କରିବା ପାଇଁ ଆମେ ସମସ୍ତ ପ୍ରସ୍ତୁତି ପର୍ବ ସରିସାରିଛି।
ସିଇସି ରାଜୀବ କୁମାର କହିଛନ୍ତି, ଗଣତନ୍ତ୍ରର ମହାପର୍ବରେ ସମସ୍ତେ ସାମଲି ହୁଅନ୍ତୁ। ଏହି ମହାପର୍ବରେ ଓଡ଼ିଶାରେ ମୋଟ ୩ କୋଟି ୩୨ ଲକ୍ଷ ମତଦାତା ଭୋଟ୍ ଦେବେ। ରାଜ୍ୟରେ ବଢିଛି ଭୋଟରଙ୍କ ସଂଖ୍ୟା। ୨୦୧୯ ପରେ ଭୋଟ ହାର ୪.୪ ପ୍ରତିଶତ ବଢିଥିବା ବେଳେ ୯ ହଜାର ୬୦ ଶତାୟୁ ଭୋଟର ଚିହ୍ନଟ ହୋଇଛନ୍ତି। ଏହାସହ ମହିଳା ଭୋଟରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ମୋଟ୍ ୩୭, ୮୦୯ଟି ବୁଥ୍ରେ ଭୋଟ୍ ଗ୍ରହଣ କରାଯିବ। ସେଥିରୁ ୨୨,୬୮୫ଟି କେନ୍ଦ୍ରରେ ୱେବ୍କାଷ୍ଟିଂ କରାଯିବ। ସେହିପରି ପ୍ରାୟ ୪୦୦୦ ବୁଥ୍ରେ କେବଳ ମହିଳା ଅଧିକାରୀ ନିୟୋଜିତ ହେବେ। ଯେଉଁଠି କୌଣସି ତ୍ରୁଟି ଦେଖାଯିବ, ଲୋକେ କମିସନଙ୍କୁ ଜଣାଇପାରିବେ। ଲୋକେ ନାମ ଗୋପନ ରଖି କମିସନଙ୍କୁ ଅଭିଯୋଗ କରିପାରିବେ। ଏହିଭଳି ଅଭିଯୋଗ ଆସିଲେ, ୧୦୦ ମିନିଟ୍ ମଧ୍ୟରେ ଆମ ଟିମ୍ ପହଞ୍ଚିବେ। ନିର୍ଦ୍ଦିଷ୍ଟ ସ୍ଥାନରେ ସଭା ଆୟୋଜନ ପାଇଁ ଯିଏ ପ୍ରଥମେ ଆବେଦନ କରିବ, ତାକୁ ମିଳିବ। ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ଥିଲେ ସେମାନେ ୩ ଥର ବିଜ୍ଞାପନ ଦେଇ ଜଣାଇବେ। ହେବାକୁ ଥିବା ସାଧାରଣ ନିର୍ବାଚନରେ ସମସ୍ତ ମତଦାନ କେନ୍ଦ୍ରରେ ପିଇବା ପାଣି ଓ ଶୌଚାଳୟର ବ୍ୟବସ୍ଥା କରାଯିବ। ମତଦାନ ହାର କମ୍ ଥିବା ଅଂଚଳ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ନିର୍ବାଚନ ଆୟୋଗ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥର ନିର୍ବାଚନରେ ହିଂସାକୁ ରୋକିବ ‘ସି-ଭିଜିଲ’ ଆପ୍। ନିର୍ବାଚନ ସମୟରେ ହିଂସା ଦେଖିଲେ ଏହି ଜରିଆରେ ଅଭିଯୋଗ କରିପାରିବେ ଭୋଟର୍।
ସେହିପରି ଶ୍ରୀ କୁମାର କହିଛନ୍ତି ଯେ, ନିର୍ବାଚନ ନେଇ ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ମଧ୍ୟ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସବୁ ରାଜନୈତିକ ଦଳ ପ୍ରତି ସମାନ ମନୋଭାବ ପୋଷଣ କରିବାକୁ ନିର୍ଦ୍ଦେଶ ହୋଇଛି। ନିରପେକ୍ଷ, ସ୍ବଚ୍ଛ ଓ ସବୁ ରାଜନୈତିକ ଦଳର ଅଭିଯୋଗ ଶୁଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚନରେ ନିରପେକ୍ଷ ଓ ଶୃଙ୍ଖଳିତ ପରିଚାଳନାକୁ ଗୁରୁତ୍ବ ଦିଆଯାଇଛି। ପେଡ୍ ନ୍ୟୁଜ୍ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଅଭିଯୋଗ ଆସିଲେ ଏକ ସ୍ବତନ୍ତ୍ର କମିଟି ତଦନ୍ତ କରିବ। ଯଦି ଅଭିଯୋଗ ସତ ହୋଇଥାଏ, ସଂପୃକ୍ତ ପ୍ରାର୍ଥୀ ସମସ୍ତ ଖର୍ଚ୍ଚ ବହନ କରିବେ।





