ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): ପୁଣି ଖୋଲିଲା ହୀରାକୁଦ ଗେଟ୍ । ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍ ଖୋଲିଛି । ମୋଟ୍ ୮ଟି ଗେଟ୍ ଦେଇ ଏବେ ଜଳ ନିଷ୍କାସନ ଜାରି ରହିଛି । ତେବେ ବାମ ପାର୍ଶ୍ବର ୫ଟି ଏବଂ ଡାହାଣ ପାର୍ଶ୍ବର ୩ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।
ତେବେ ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୪.୪୫ ଫୁଟ୍ ରହିଥିଲା । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୧ ଲକ୍ଷ ୮ ହଜାର ୭୦୫ କ୍ୟୁସେକ୍ ଜଳ ପ୍ରବେଶ କରୁଛି ।ସେହିଭଳି ୧ ଲକ୍ଷ ୧୬ ହଜାର ୭୩୧ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।
ରବିବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା । ପୂଜାର୍ଚ୍ଚନା ପରେ ୫ଟି ଗେଟ୍ ଖୋଲାଯାଇଥିଲା । ପ୍ରଥମେ ୭ନମ୍ବର ଗେଟ୍ ଦେଇ ବନ୍ୟାଜଳ ଛଡ଼ାଯାଇଛି ପରେ ଅନ୍ୟ ଗେଟ୍ ପର୍ଯ୍ୟାୟ କ୍ରମ ଅନ୍ୟାନ୍ୟ ଗେଟ୍ ଖୋଲାଯାଇଥିଲା । ଉପରମୁଣ୍ଡରେ ଲଗାଣ ବର୍ଷା ଲାଗି ହୀରାକୁଦ ଜଳଭଣ୍ଡାରରେ ପାଣିର ସ୍ତର ଧୀରେ ଧୀରେ ବଢିବାରେ ଲାଗିଥିଲା । ଗତ ବର୍ଷ ୧୮ ଜୁଲାଇରେ ସେହି ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା ।
ସେପଟେ ତଳିଆ ଅଞ୍ଚଳରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବନ୍ୟାଜଳ ନିଷ୍କାସନ ନେଇ ହୀରାକୁଦର ତଳମୁଣ୍ଡରେ ଥିବା ସମସ୍ତ ଜିଲ୍ଲାର ଜିଲ୍ଲା ପ୍ରଶାସନ ଏବଂ ଏସ୍ପିଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ କରାଗଲେ ମହାନଦୀ ଓ ତାର ଶାଖା ନଦୀଗୁଡିକର ଜଳସ୍ତର ବୃଦ୍ଧି ପାଇବ ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ପାଇଁ ଡ୍ୟାମ୍ କର୍ତ୍ତୃପକ୍ଷ ସତର୍କ ସୂଚନା ଜାରି କରାଯାଇଛି ।





