ଓଡ଼ିଶାରୁ ୪୦୦୮୮ ଜଣ ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଯାଇଛନ୍ତି, ବଲାଙ୍ଗୀରରୁ ସର୍ବାଧିକ: ଶ୍ରମ ମନ୍ତ୍ରୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସରକାରୀ ଭାବେ ଓଡ଼ିଶାରେ ଦାଦନ ଶ୍ରମିକଙ୍କ ସଂଖ୍ୟା ୪୦୦୮୮ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନରେ ବିଧାନସଭାରେ ଉତ୍ତର ରଖି ଏହି ତଥ୍ୟ ଦେଇଛନ୍ତି ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ। ରାଜ୍ୟରୁ ୪୦୦୮୮ ଜଣ ଶ୍ରମିକ ବାହାର ରାଜ୍ୟ ତଥା ଦେଶକୁ ଦାଦନ ଖଟିବାକୁ ଯାଇଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ। ଲାଇସେନ୍ସ ପ୍ରାପ୍ତ ୬୨୬ ଜଣ ଠିକାଦାରଙ୍କ ଜରିଆରେ ଏହି ଶ୍ରମିକ ମାନେ ବାହାରକୁ ଯାଇଛନ୍ତି।

ରାଜ୍ୟରେ ବଲାଙ୍ଗୀର ଜିଲ୍ଲାରୁ ସର୍ବାଧିକ ୨୬୧୫୧ ଜଣ ଦାଦନ ଖଟିବାକୁ ଯାଇଥିବା ବେଳେ ୯ଟି ଜିଲ୍ଲାରୁ କୌଣସି ବ୍ୟକ୍ତି ଦାଦନ ଖଟିବାକୁ ବାହାରକୁ ଯାଇନାହାନ୍ତି । ସେହିଭଳି ଦାଦନ ରୋକିବା ଦିଗରେ ସରକାର ଅନେକ ପଦକ୍ଷେପ ହାତକୁ ନେଇଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ମାଧ୍ୟମରେ ପ୍ରବାସି ଶ୍ରମିକଙ୍କୁ ବିଭିନ୍ନ କର୍ମ ଯୋଗାଣକ୍ଷମ ଯୋଜନା ଏବଂ ସ୍ୱ ରୋଜଗାର ଯୋଜନାରେ ଅର୍ନ୍ତଭୁକ୍ତ କରାଯାଉଅଛି । ଏହାବ୍ୟତୀତ ବଲାଙ୍ଗୀର, ବରଗଡ, କଳାହାଣ୍ଡି, ନୁଆପଡା ଜିଲ୍ଲାର ୨୦ ଗୋଟି ବ୍ଲକରେ ରାଜ୍ୟ ସରକାର ପ୍ରବାସି ଶ୍ରମିକଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ସହାୟତା ପ୍ୟାକେଜ ଜାନୁଆରୀ ୨୦୨୦ରୁ କାର୍ଯ୍ୟକାରୀ ହେଉଛି । ଯେଉଁଥିରେ ମନରେଗା ଯୋଜନାରେ କାର୍ଯ୍ୟଦିବସକୁ ୩୦୦ ଦିନ ବୃଦ୍ଧି କରାଯିବା ସହ ଏହା ଅନ୍ତର୍ଗତ ଦିଆଯାଉଥିବା ମଜୁରୀକୁ ଓଡ଼ିଶାରେ ଅଣକୁଶଳୀଙ୍କ ମଜୁରୀ ସହ ସମାନ କରାଯାଇଛି ।

Related Posts