ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟର ୭୯୯୮ଟି ପଞ୍ଚାୟତରେ ୮,୦୯୯ଟି ଉଚ୍ଚ ବିଦ୍ୟାଳୟ ତଥା ହାଇସ୍କୁଲ ରହିଛି। ଆଜି ସୁଦ୍ଧା ୪୨୬ଟି ପଞ୍ଚାୟତରେ ହାଇସ୍କୁଲ ନାହିଁ। ବିଧାୟକ ଭୂପିନ୍ଦର ସିଂହଙ୍କ ଏକ ଲିଖିତ ପ୍ରଶ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ବିଧାନସଭାରେ ଏଭଳି ଉତ୍ତର ରଖିଛନ୍ତି। ବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ଶିକ୍ଷକ ପଦବି ପୂରଣ ନେଇ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କହିଛନ୍ତି ବିଭାଗ ଅଧୀନରେ ୫୨,୮୦୭ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି।
ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଥିବା ୨୦ ହଜାର କନିଷ୍ଠ ଶିକ୍ଷକ(ଯୋଜନାଭୁକ୍ତ) ପଦବି ପୂରଣ ପାଇଁ ପ୍ରକ୍ରିୟା ଚାଲିଛି। ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ୭,୫୪୦ଟି ଶିକ୍ଷକ ପଦବି ପୂରଣ ନିମନ୍ତେ ଓଏସ୍ଏସ୍ସି ମାଧ୍ୟମରେ ନିଯୁକ୍ତି ଦେବାର ବ୍ୟବସ୍ଥା ହେଉଛି। ୬୯୦ଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ପାଇଁ ୨,୦୬୪ଟି ଶିକ୍ଷକ ପଦବି ପୂରଣ ନିମନ୍ତେ ଏସ୍ଏସ୍ବି ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ସରକାରୀ ଉଚ୍ଚ ବିଦ୍ୟାଳୟରେ ୯୨ଟି ପ୍ରଧାନଶିକ୍ଷକ ପଦବିରେ ଯୋଗ୍ୟ ବିବେଚିତ ଓଇଏସ୍ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।
ବିଭାଗ ଅଧୀନରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ବିଷୟରେ ୩୩୫ଟି ପିଜିଟି ପୂରଣ ନିମନ୍ତେ ଓପିଏସ୍ସି ମାଧ୍ୟମରେ ଚୟନ କରାଯାଇ ୩୨୭ଟି ପିଜିଟିରେ ନିଯୁକ୍ତି ଦିଆଯାଇଛି। ସେହିପରି କମ୍ପୋଜିଟ୍ ଯୁକ୍ତ୨ କଲେଜ ଅନ୍ତର୍ଗତ ୫୧ଟି କଲେଜରେ ୩୬୭ଟି ପିଜିଟି ପଦବି ପୂରଣ ପାଇଁ ଓପିଏସ୍ସି ମାଧ୍ୟମରେ ଚୟନ ପାଇଁ ପଦକ୍ଷେପ ନିଆଯାଉଛି। ତୃତୀୟ ପର୍ଯ୍ୟାୟ ସରକାରୀ ଯୁକ୍ତ୨ କଲେଜରେ ୧୦୦୮ଟି ପିଜିଟି ପଦବି ପୂରଣ ପାଇଁ ପଦକ୍ଷେପ ସହ ୨୨୬ଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ଯୁକ୍ତ୨ କଲେଜ ନିମନ୍ତେ ୧୫୪୩ଟି ଶିକ୍ଷକ(ପିଜିଟି) ପଦବି ସୃଷ୍ଟି ହୋଇଛି। ଉକ୍ତ ପଦବି ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୫୫୫ଟି ଖାଲିଥିବା ପଦବି ପୂରଣ ପାଇଁ ଏସ୍ଏସ୍ବି ମାଧ୍ୟମରେ ପ୍ରକ୍ରିୟା ଚାଲିଛି। ସରକାରୀ ବିଦ୍ୟାଳୟରେ ଶିକ୍ଷାର ମାନ ବୃଦ୍ଧି ସମ୍ପର୍କିତ ବିଧାୟକ ପ୍ରଶାନ୍ତ ବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ୭୬ ଲକ୍ଷ ୧୧ ହଜାର ୬୭୧ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରୁଛନ୍ତି।
ସରକାରୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫୧ ଲକ୍ଷ ୮୩ ହଜାର ୬୬୧ ଓ ଘରୋଇ ଶିକ୍ଷାନୁଷ୍ଠାନରେ ୧୪ ଲକ୍ଷ ୪ ହଜାର ୨୨୩ଜଣ ପଢ଼ୁଛନ୍ତି। ୨୦୨୧-୨୨ ତୁଳନାରେ ୨୦୨୨-୨୩ରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପ୍ରଥମରୁ ଦ୍ବାଦଶ ଶ୍ରେଣୀ ମଧ୍ୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଯେତେବେଳେ କି ବେସରକାରୀ ବିଦ୍ୟାଳୟଗୁଡ଼ିକରେ ପିଲାଙ୍କ ସଂଖ୍ୟା କମୁଛି। ୫-ଟି ରୂପାନ୍ତୀକରଣ ହୋଇଥିବା ବିଦ୍ୟାଳୟ ସମ୍ପର୍କିତ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ୮୦୯୯ଟି ହାଇସ୍କୁଲ ରହିଛି। ସେଥିମଧ୍ୟରୁ ୩ଟି ପର୍ଯ୍ୟାୟରେ ୬୮୮୦ ବିଦ୍ୟାଳୟ ରୂପାନ୍ତୀକରଣ କାର୍ଯ୍ୟ ଶେଷ ହୋଇଛି। ବଳକା ବିଦ୍ୟାଳୟଗୁଡ଼ିକର ରୂପାନ୍ତୀକରଣ କାର୍ଯ୍ୟ ପର୍ଯ୍ୟାୟକ୍ରମେ କରାଯିବ। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ରୂପାନ୍ତୀକରଣ କାର୍ଯ୍ୟକ୍ରମରେ ସାମିଲ କରିବାକୁ ବର୍ତ୍ତମାନ ବିଚାରକୁ ନିଆଯାଇ ନାହିଁ।





