ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟର ୫.୩୧ ପ୍ରତିଶତ ଗାଁରେ ପହଞ୍ଚିଛି ସୌର ବିଦ୍ୟୁତ । ସେପଟେ ବିଦ୍ୟୁତ ସଂସ୍କାର କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ହେଲେ ଯୋଜନାକୁ ୨୫ ବର୍ଷ ବିତିଯାଇଥିଲେ ବି ସମସ୍ୟାର ସମାଧାନ ହୋଇ ପାରୁନାହିଁ । ପ୍ରାକୃତିକ ଗ୍ୟାସ ଓ କୋଇଲା ସହ ପରମାଣୁ ଉର୍ଜା, ଜୈବ ଶକ୍ତି, ପେଟ୍ରୋଲିୟମ, ଜିଓ ଥର୍ମାଲ ଓ ସୋଲାର ଥର୍ମାଲର ସଙ୍କଟ ଯୋଗଁ ଏବେ ବିଦ୍ୟୁତ ସମସ୍ୟା ଜଟିଳ ହୋଇଛି । ଲୋ-ଭୋଲଟେଜ ଓ ଘନଘନ ବିଦ୍ୟୁତ କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ଓଙ୍ଗ଼ିଶାର ୩୯ ପ୍ରତିଶତ ଗାଁରେ ୨୪ରୁ ୧୨ ଘଣ୍ଟା ମଧ୍ୟ ବିଜୁଳି ରହୁନି । ସେହିପରି ୫.୧୬ ପ୍ରତିଶତ ଗାଁରେ ମାତ୍ର ୧ରୁ ୪ ଘଣ୍ଟା ବିଦ୍ୟୁତ ଉପଲବ୍ଧ ହୋଇପାରୁଛି । କେବଳ ସେତିକି ନୁହେଁ ୨୦୦୦ ମସିହାରୁ ୨୦୨୧ ମସିହା ମଧ୍ୟରେ ଘରୋଇ ବିଦ୍ୟୁତ ଦେୟ ଆଶାତୀତ ଭାବେ ବୃଦ୍ଧି ପାଇ ୧୩୭ ପ୍ରତିଶତରେ ପହଞ୍ଚି ସାରିଛି । ଏପରି ସମୟରେ ନବୀକରଣ ଯୋଗ୍ୟ ସୌରଶକ୍ତିର ଗୁରୁତ୍ୱ କଥା ସମସ୍ତେ ଚିନ୍ତା କଲେଣି । ସୌରଶକ୍ତିକୁ ବ୍ୟବହାର କରି କେମିତି ବିଦ୍ୟୁତ ସଙ୍କଟକୁ ଦୂର କରାଯାଇ ପାରିବ ସେନେଇ ବିଚାରବିମର୍ଶ ହେବା ସହ ଯୋଜନା କାର୍ଯ୍ୟକାରୀ ହେଲାଣି । କିନ୍ତୁ ବୈଷୟିକ ଜ୍ଞାନକୌଶଳର ଅଭାବ ଯୋଗୁଁ ଯୋଜନା ଯେତିକି ଆଗେଇବା କଥା ସେତିକି ଆଗେଇ ପାରୁନି । ଫଳସ୍ୱରୂପ ରାଜ୍ୟରେ ଏବେ ସୌରଶକ୍ତିର ବ୍ୟବହାର ହେଉଥିବା ଗାଁ ସଂଖ୍ୟା ଅତି ନଗଣ୍ୟ । ଓଡ଼ିଶାରେ ମାତ୍ର ୫.୩୧ ପ୍ରତିଶତ ଗାଁ ରହିଛି ।
ଯେଉଁ ଗାଁଗୁଡ଼ିକରେ ଲୋକମାନେ ସୌର ବିଦ୍ୟୁତ ଦ୍ୱାରା ଉପକୃତ ହେଉଛନ୍ତି । ସେଗୁଡ଼ିକ ମଧ୍ୟରୁ କୋରାପୁଟ, ଗଜପତି ଓ କେନ୍ଦୁଝର ଜିଲ୍ଲାରେ ଯଥାକ୍ରମେ ସର୍ବାଧିକ ୭.୦୩, ୬.୦୧ ଓ ୫.୮୪ ପ୍ରତିଶତ ଗାଁକୁ ସୌର ବିୁଦ୍ୟତ ମିଳିପାରୁଛି । ସେହିପରି କଟକ, ଗଞ୍ଜାମ, କନ୍ଧମାଳ ଜିଲ୍ଲାରେ ଯଥାକ୍ରମେ ୪.୯, ୪.୫୭ ଓ ୫.୪୬ ପ୍ରତିଶତ ଗାଁରେ ସୌର ବିଦ୍ୟୁତ ଉପଲବ୍ଧ ହେଉଛି । ସୋନପୁର ଜିଲ୍ଲାରେ ୨,୮୦, ସମ୍ବଲପୁର ଜିଲ୍ଲାରେ ୩.୧୭, ନୂଆପଡ଼ା ଜିଲ୍ଲାରେ ୨.୯୪, ନବରଙ୍ଗପୁର ଜିଲ୍ଲାରେ ୩.୩୧, ମାଲକାନଗିରି ଜିଲ୍ଲାରେ ୨.୫୫, ଝାରସୁଗୁଡ଼ା ଜିଲ୍ଲାରେ ୩.୭୦, ଯାଜପୁର ଜିଲ୍ଲାରେ ୨.୪୭, ଢ଼େଙ୍କାନାଳ ଜିଲ୍ଲାରେ ୨.୬୪, ଦେବଗଡ଼ ଜିଲ୍ଲାରେ ୪.୬୧, ବରଗଡ଼ ଜିଲ୍ଲାରେ ୧.୯୪ ଓ ଅନୁଗୁଳ ଜିଲ୍ଲାରେ ୨.୧, ବଲାଙ୍ଗୀର ଜିଲ୍ଲାରେ ୩.୪୩, ବାଲେଶ୍ୱର ଜିଲ୍ଲାରେ ୨.୬୨, ଭଦ୍ରକ ଜିଲ୍ଲାରେ ୫.୫୩, ଜଗତସିଂହପୁର ଜିଲ୍ଲାରେ ୫.୪୮, କଳାହାଣ୍ଡି ଜିଲ୍ଲାରେ ୪.୩୪, କେନ୍ଦ୍ରାପଡ଼ା ଜିଲ୍ଲାରେ ୪.୩୧, ଖୋର୍ଦ୍ଧା ଜିଲ୍ଲାରେ ୩.୮୦, ନୟାଗଡ଼ ଜିଲ୍ଲାରେ ୩.୬୨, ପୁରୀ ଜିଲ୍ଲାରେ ୩.୬୭, ମୟୂରଭଞ୍ଜ ଜିଲ୍ଲାରେ ୦.୪, ବୌଦ୍ଧ ଜିଲ୍ଲାରେ ୦.୯୪ ଓ ସୁନ୍ଦରଗଡ଼ ଜିଲ୍ଲାରେ ୩.୯୦ ପ୍ରତିଶତ ଗାଁରେ ବିଜୁଳି ପାଇଁ ସୌରଶକ୍ତିକୁ ବୃବହାର କରାଯାଉଛି ।





