ଅନଲାଇନ୍ ଟ୍ରେଡିଂ ନାଁରେ ୫ କୋଟି ଟଙ୍କା ଠକେଇ, ୨ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ୱର,୨୦/୪(ସତ୍ୟପାଠ ବ୍ୟୁରୋ): ସୋର ପୌରପାଳିକା ଅନ୍ତର୍ଗତ ଉତ୍ତରେଶ୍ଵରରେ ଏକ ବ୍ରୋକର ହାଉସ ଖୋଲି ପ୍ରାୟ ପାଞ୍ଚ କୋଟି ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧିକ ଶାଖା ତରଫରୁ ଚଢ଼ାଉ କରାଯାଇ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଉତ୍ତରେଶ୍ଵର ଗ୍ରାମର ରିପନ କୁମାର ଜେନା ଏବଂ ଅନୁପମ ପ୍ରଧାନ ନିଜ ବାସଭବନରେ ଏକ ବ୍ରୋକର ହାଉସ ଖୋଲି ବିଭିନ୍ନ ଅଂଚଳର ଲୋକଙ୍କ ନିକଟରୁ ଟ୍ରେଡିଙ୍ଗ କରି ଅଧିକ ଲାଭ ଦେବାର ଲୋଭ ଦେଖାଇ ପ୍ରାୟ ୩୫ରୁ ଅଧିକ ଲୋକଙ୍କ ନିକଟରୁ ୫ କୋଟି ଟଙ୍କାରୁ ଅଧିକ ଟଙ୍କା ଆଣିଥିଲେ।

ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ଲୋକଙ୍କୁ କିଛି କିଛି ଟଙ୍କା ଫେରାଇଥିବା ବେଳେ ପରେ ଆଉ ଟଙ୍କା ଫେରାଇ ନଥିଲେ। ଏଥିରେ ନିରାଶ ହୋଇ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ବାଲେଶ୍ୱରର ଜିତେନ୍ଦ୍ର ଦାସ ଅର୍ଥନୈତିକ ଅପରାଧିକ ଶାଖା(ଇଓଡବ୍ଲୁ)ରେ ଅଭିଯୋଗ କରିଥିଲେ। ଅଭିଯୋଗ ମୂଳେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଆଜି ସକାଳେ ଅପରାଧିକ ଶାଖାର ଅଧିକାରୀମାନେ ସୋରରେ ପହଞ୍ଚି ସୋର ପୁଲିସ ସହାୟତାରେ ରିପନ ଏବଂ ଅନୁପମଙ୍କୁ ଥାନାକୁ ଉଠାଇ ଆଣିଥିଲେ। ପରେ ଉଭୟଙ୍କ ଡାକ୍ତରୀ ମାଇନା ପରେ ବାଲେଶ୍ୱର ନେଇଯାଇଥିବା ସୂଚନା ମିଳିଛି।

Related Posts