ଭୁବନେଶ୍ୱର,୧୮/୬(ସତ୍ୟପାଠ ବ୍ୟୁରୋ): ବିଜେପିର ଲୋକପ୍ରିୟତା ସମଗ୍ର ଦେଶରେ ହ୍ରାସ ପାଇବାରେ ଲାଗିଛି। ବିଜେପିର ଅହଂକାର ଯୋଗୁଁ ଶିବସେନା ଏବଂ ଅକାଳି ଭଳି ସହଯୋଗୀ ଦଳ ମଧ୍ୟ ତା’ର ହାତ ଛାଡ଼ି ସାରିଛନ୍ତି। ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ୬୩ ପ୍ରତିଶତ ଜନତା ଅଛନ୍ତି। ବିରୋଧୀ ଦଳର ଭୋଟ୍ ବିଭାଜିତ ହେଉଥିବାରୁ ବିଜେପିକୁ ଲାଭ ମିଳୁଛି। ତେଣୁ ସବୁ ବିରୋଧୀ ଦଳ ଏକାଜୁଟ ହେବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୩ ତାରିଖରେ ପାଟନାରେ ବୈଠକ ହେବ ବୋଲି କହିଛନ୍ତି ସିପିଆଇ(ଏମ୍)ର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ।
ଶନିବାର ଭୁବନେଶ୍ବରସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ୟେଚୁରୀ କହିଛନ୍ତି, ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ସ୍ଥିତି ବିରୋଧରେ ଲଢ଼େଇ କରି ସମସ୍ତେ ଜେଲ ଯାଇଥିଲେ। କିନ୍ତୁ ଆଜିର ଶାସନ ସମସ୍ତ ପ୍ରକାର ଅନ୍ୟାୟର ସୀମା ଉଲ୍ଲଂଘନ କରିଛି। ବର୍ତ୍ତମାନ ଭାରତୀୟ ଇତିହାସରେ ବେରୋଜଗାରୀର ଦର ସବୁଠାରୁ ଅଧିକ ରହିଛି। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ସଂକୁଚିତ କରାଯାଇଛି। ସଂଘୀୟ ବ୍ୟବସ୍ଥାରେ ଆର୍ଥିକ ଆବଣ୍ଟନ ବେଳେ ରାଜ୍ୟକୁ ୪୨ପ୍ରତିଶତ ରାଜସ୍ବ ମିଳିବା ଉଚିତ। ଯାହାକୁ ବର୍ତ୍ତମାନ ୩୦ ପ୍ରତିଶତ କରି ଦିଆଯାଇଛି। ଅଣ-ବିଜେପି ରାଜ୍ୟକୁ ଅନୁଦାନ ପାଇଁ ପ୍ରତିବନ୍ଧକ ସୃଷ୍ଟି କରାଯାଉଛି। ସାମ୍ବିଧାନିକ ବ୍ୟବସ୍ଥା ଉପରେ ଯେଉଁଭଳି ଲଗାତାର ଆକ୍ରମଣ ହେଉଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ସମ୍ବିଧାନ ବଞ୍ଚାଇବା ହିଁ ସବୁଠାରୁ ବଡ଼ ଦେଶପ୍ରେମ। ହିନ୍ଦୁ-ମୁସଲମାନ ଧ୍ରୁବୀକରଣ କରାଯାଇ ଘୃଣା ଏବଂ ହିଂସାର ବାତାବରଣ ସୃଷ୍ଟି କରାଯାଉଛି। ବିରୋଧୀ ଦଳ ବିରୋଧରେ ଇଡିର ଦୁରୁପଯୋଗ ବଢ଼ିବାରେ ଲାଗିଛି। ଉଦାହରଣ ସ୍ବରୂପ, ଇଡି ପକ୍ଷରୁ ରୁଜୁ ହୋଇଥିବା ୫୫୦୦ ମାମଲା ମଧ୍ୟରୁ କେବଳ ୨୩ଟି ମାମଲା ଅର୍ଥାତ ୦.୦୫ ପ୍ରତିଶତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସଂସଦରେ ଶାସକ ଦଳ ହିଁ ଏଭଳି ଆଚରଣ କରୁଛନ୍ତି ଯେ ବିନା ଆଲୋଚନାରେ ବଜେଟ ଅନୁମୋଦିତ ହେଉଛି। ସରକାରଙ୍କ ବିରୋଧରେ କେହି ସ୍ବର ଉତ୍ତୋଳନ କଲେ, ସେମାନଙ୍କୁ ଜେଲ ପୂରାଇ ଦିଆଯାଉଛି। ଏହାଠାରୁ ଅନ୍ୟାୟ ଆଉ କ’ଣ ହୋଇପାରେ। ତେଣୁ ପ୍ରତ୍ୟେକ ବିରୋଧୀ ଦଳ ଏକ ହେବା ଉଚିତ।
ରାଜନୈତିକ ସ୍ଥିତି ଅନୁସାରେ ରାଜ୍ୟସ୍ତରୀୟ ଭିନ୍ନ ରଣନୀତି ନିଆଯିବା ଉଚିତ। କୌଣସି ରାଜନୈତିକ ଦଳକୁ ଆଉ ଜଣେ ନିର୍ବାଚନ ନ ଲଢ଼ିବାକୁ କହିବା ଅଗଣତାନ୍ତ୍ରିକ। ବାହାନଗା ରେଳ ଦୁର୍ଘଟଣାରେ ଯେଉଁଭଳି ୨୯୧ଜଣଙ୍କ ଅମୂଲ୍ୟ ଜୀବନ ଚାଲିଗଲା, ତାହା କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟର କ୍ରମାଗତ ଅବହେଳା ଏବଂ ନିଯୁକ୍ତି ଦିଆନଯିବାର ପରିଣାମ ବୋଲି ବୋଲି ଶ୍ରୀ ୟେଚୁରୀ କହିଛନ୍ତି।
ସୂଚନାଯୋଗ୍ୟ ଯେ, ସିପିଆଇ(ଏମ୍)ର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସୀତାରାମ ୟେଚୁରୀ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି।





