ଭୁବନେଶ୍ୱର,୨୦/୩(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଛଅ ମାସରୁ ୫ବର୍ଷ ବୟସର ଅଧିକାଂଶ ଶିଶୁ ରକ୍ତହୀନତାର ଶିକାର । ଅନେକ ଜିଲ୍ଲାରେ ଏମାନଙ୍କ ସଂଖ୍ୟା ୬୦ ପ୍ରତିଶରୁ ଅଧିକ ରହିଛି । ସେହିଭଳି ରାଜ୍ୟର ୧୨ଟି ଜିଲ୍ଲାରେ ଶିଶୁଙ୍କ ରକ୍ତହୀନତା ହାର ଜାତୀୟ ହାରଠାରୁ ଅଧିକ ରହିଛି। ନିକଟରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତି ହେମ୍ବ୍ରମ ବିଧାନସଭାରେ ଶିଶୁମାନଙ୍କ ପୁଷ୍ଟି ବାବଦରେ ଏକ ପ୍ରଶ୍ନର ଦେଇଥିବା ଉତ୍ତରରୁ ଏହା ଜଣାଯାଇଛି ।
ଜାତୀୟସ୍ତରରେ ଏହି ବର୍ଗର ଶିଶୁଙ୍କ ରକ୍ତହୀନତା ହାର ୬୭.୧ ପ୍ରତିଶତ ଥିବାବେଳେ ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ମାଲକାନଗିରି ଜିଲ୍ଲାରେ ୭୮.୭ ପ୍ରତିଶତ ଶିଶୁଙ୍କ ଠାରେ ହିମୋଗ୍ଲୋବିନର ପରିମାଣ ୧୧ ପ୍ରତିଶତରୁ କମ୍ ରହିଛି । ସେହିପରି ସୁନ୍ଦରଗଡ ଜିଲ୍ଲାରେ ଏହା ୭୭.୧ ପ୍ରତିଶତ ହୋଇଥିବାବେଳେ ଅନୁଗୁଳରେ ୭୫.୩, ବଲାଙ୍ଗିରରେ ୭୪.୯, ନୂଆପଡାରେ ୭୩.୫, ସୁବର୍ଣ୍ଣପୁରରେ ୭୩.୧, ମୟୁରଭଞ୍ଜରେ ୭୧.୭, ନବରଙ୍ଗପୁରରେ ୭୦.୮, ରାୟଗଡ଼ା ୭୦.୫, ବୌଦ୍ଧ ୬୮.୭, କଳାହାଣ୍ଡି ୬୮.୮, କୋରାପୁଟ ୬୯.୭ ପ୍ରତିଶତ ରହିଛି । ବାଲେଶ୍ବର ଜିଲ୍ଲାରେ ସର୍ବନିମ୍ନ ୪୩.୨ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର ଅଟନ୍ତି। ତେବେ ଓଡ଼ିଶାର ସାମଗ୍ରୀକ ରକ୍ତହୀନତା ହାର ୬୪.୨ ପ୍ରତିଶତ ରହିଛି।
ସେହିଭଳି ୫ବର୍ଷରୁ କମ୍ ବୟସର କମ୍ ଓଜନ ଥିବା ପିଲାଙ୍କ ସଂଖ୍ୟା ବି ରାଜ୍ୟରେ କିଛି କମ୍ ନୁହେଁ । ନବରଙ୍ଗପୁର ଜିଲ୍ଲାରେ ଏହି ବୟସର ପିଲାଙ୍କ ମଧ୍ୟରୁ ୪୬.୬ ପ୍ରତିଶତ କମ୍ ଓଜନର ଥିବାବେଳେ ମୟୁରଭଞ୍ଜ ଜିଲ୍ଲାରେ ଏହା ୪୫.୯ ପ୍ରତିଶତ, ମାଲକାନଗିରିରେ ୪୧.୬ ପ୍ରତିଶତ ରହିଛି । ସବୁଠାରୁ କମ୍ ମାତ୍ର ୧୧ ପ୍ରତିଶତ କମ୍ ଓଜନର ଶିଶୁ ଜଗତ୍ସିଂହପୁର ଜିଲ୍ଲାରେ ଥିବାବେଳେ ବରଗଡ ଓ ଢେଙ୍କାନାଳ ଜିଲ୍ଲାରେ ଏହି ପରିମାଣ ୩୦ ପ୍ରତିଶତ କରି ରହିଛି ।
ଅନ୍ୟ ପକ୍ଷରେ ବୟସ ତୁଳନାରେ ୫ବର୍ଷରୁ କମ୍ ବୟସର ଶିଶୁଙ୍କ ଯେଉଁମାନଙ୍କର ଉଚ୍ଚତା ତୁଳନାରେ ଗୁରୁତର ଭାବେ କମ୍ ଓଜନ ରହିଛି ସେମାନଙ୍କ ସଂଖ୍ୟା ବଲାଙ୍ଗିରରେ ସର୍ବାଧିକ ୧୨.୭ ପ୍ରତିଶତ ଥିବାବେଳେ କନ୍ଧମାଳରେ ୧୨.୪, ଦେବଗଡରେ ୧୨.୧, ସୁବର୍ଣ୍ଣପୁରରେ ୧୧.୭, ମୟୁରଭଞ୍ଜରେ ଏହା ୧୦.୪ ପ୍ରତିଶତ ରହିଛି ।
ସେହିଭଳି ରାଜ୍ୟରେ ୫ବର୍ଷରୁ କମ୍ ବୟସର କମ୍ ଉଚ୍ଚତା ଥିବା ଶିଶୁଙ୍କ ସଂଖ୍ୟା ମାଲକାନଗିରିରେ ସର୍ବାଧିକ ୪୪.୧ ପ୍ରତିଶତ ଥିବାବେଳେ ରାୟଗଡାରେ ୪୩.୬, ନୂଆପଡାରେ ୪୩.୧, ସମ୍ବଲପୁରରେ ୪୦.୭ ପ୍ରତିଶତ ରହିଛି । ଗଜପତିରେ ଏହା ୪୩.୪ ପ୍ରତିଶତ ଥିବାବେଳେ ସବୁଠାରୁ କମ୍ ଜଗତ୍ସିଂହପୁରରେ ଏହା ୧୩.୨ ପ୍ରତିଶତ ରହିଛି ।
ତେବେ ଶିଶୁଙ୍କ ପୁଷ୍ଟିହୀନତା ଦୂର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଏକାଧିକ ଯୋଜନା କାର୍ଯ୍ୟକାରୀ କରିବା ସହିତ ପୁଷ୍ଟିକର ଖାଦ୍ୟ ଯୋଗାଉଥିବାବେଳେ ଛୋଟ ଛୋଟ ପିଲାଙ୍କ ଠାରେ ଏଭଳି ରକ୍ତହୀନତା, କମ୍ ଓଜନ ଦେଖାଦେବା ଏବେ ବିଶେଷଜ୍ଞମାନଙ୍କୁ ଚିନ୍ତାରେ ପକାଇଛି ।





