ସେବାଶ୍ରମ ସ୍କୁଲରେ ଗରମ ଡାଲି ପଡି ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର,୧୩/୩ (ସତ୍ୟପାଠ ବ୍ୟୁରୋ): ଗରମ ଡାଲି ପଡି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଡେଙ୍ଗୁଳା ସେବାଶ୍ରମ ସ୍କୁଲର ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣକ ହେଉଛନ୍ତି କପାଟମୁଣ୍ଡା ପଞ୍ଚାୟତର ଗଲେଟ୍‌ ହାନ୍‌ଗା (୧୩)। କୋଇଡା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି। ତେବେ ସେବାଶ୍ରମ ସ୍କୁଲ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କ ଅବହେଳାରୁ ଛାତ୍ରଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ମୁତାବକ କୋଇଡା ଡେଙ୍ଗୁଳା ସେବାଶ୍ରମ ସ୍କୁଲରେ ଗଲେଟ ହାନ୍‌ଗା ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ ଓ ସେବାଶ୍ରମ ସ୍କୁଲରେ ରହୁଥିଲେ। ଗତ ୬ ତାରିଖରେ ‌ରୋଷେଇ ଘରେ ତାଙ୍କ ଦେହର ଗୋଟିଏ ପାର୍ଶ୍ବରେ ଗରମ ଡାଲି ଢ଼ାଳି ହୋଇପଡିବାରୁ ଗୁରୁତର ହୋଇଥିଲେ। ତାଙ୍କୁ କୋଇଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ୭ ତାରିଖରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)କୁ ସ୍ଥାନାନ୍ତର କରାଯାଇଥିଲା। ଆଜି ସଂଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରର ମୃତ୍ୟୁ ହୋଇଯାଇଛି।

Related Posts