ଭୁବନେଶ୍ୱର,୨୯/୩ (ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ୯୭ଟି ଶୀତଳ ଭଣ୍ଡାର ଅଚଳ ହୋଇ ପଡ଼ିଛି। ତେବେ ୩୬ ଟି ଶୀତଳ ଭଣ୍ଡାର ସଚଳ ରହିଛି। ଆଜି ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ରଖିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ସେ କହିଛନ୍ତି ଯେ, ଅଚଳ ହୋଇ ପଡ଼ିଥିବା ଶୀତଳ ଭଣ୍ଡାରକୁ ସଚଳ କରିବା ସମ୍ଭବ ନୁହେଁ । କାରଣ ଅଚଳକୁ ସଚଳ କରିବା ବ୍ୟୟ ବହୁଳ । ସେହି ଟଙ୍କାରେ ନୂଆ ଶୀତଳ ଭଣ୍ଡାର ହୋଇ ପାରିବ । ରାଜ୍ୟରେ ଶୀତଳ ଭଣ୍ଡାରର ଅଭାବକୁ ଦୂର କରିବା ପାଇଁ ରାଜ୍ୟରେ ୧୦୦୦ ଟି ଶୀତଳି କରଣ ଗୃହ ନିର୍ମାଣ କରିବା ପାଇଁ ସରକାର ଯୋଜନା କରିଛନ୍ତି ।
ଏହି ଶୀତଳି କରଣ ଗୃହ ସବୁ ସୌର ଚାଳିତ ଯନ୍ତ୍ରାଂଶ ଦ୍ୱାରା ଚାଲିବ । ଏହାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପରିଚାଳନାରେ ଚାଲିବ ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ସେହିଭଳି ରାଜ୍ୟର କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ମାନଙ୍କୁ ୭୦ ପ୍ରତିଶତ ରିହାତି ରେ ସବଜି କୁଲର ଯୋଗାଇ ଦେବେ ରାଜ୍ୟ ସରକାର । ଯେଉଁଥିରେ ଚାଷୀ ମାନେ ତାଙ୍କ ଅମଳ ପନି ପରିବା କିଛି ଦିନ ପର୍ଯ୍ୟନ୍ତ ରଖି ପାରିବେ। ଏହାକୁ ଏପ୍ରିଲ ୧ ତାରିଖରୁ ଆରମ୍ଭ କରାଯିବ ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।





