ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ଆଦେଶକୁ କାଏମ ରଖିଛନ୍ତି, ଯେଉଁଥିରେ କୁହାଯାଇଥିଲା ଯେ ଯଦି ଜଣେ ବ୍ୟକ୍ତି ଖ୍ରୀଷ୍ଟଧର୍ମ ଗ୍ରହଣ କରନ୍ତି ଏବଂ ସକ୍ରିୟ ଭାବରେ ସେହି ଧର୍ମର ପ୍ରଚାର ଓ ପାଳନ କରନ୍ତି, ତେବେ ତାଙ୍କୁ ଅନୁସୂଚିତ ଜାତି ସମ୍ପ୍ରଦାୟର ସଦସ୍ୟ ଭାବରେ ଗଣନା କରାଯାଇପାରିବ ନାହିଁ।ଅଦାଲତ କହିଛନ୍ତି ଯେ ହିନ୍ଦୁ, ଶିଖ୍ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମ ପାଳନ କରୁଥିବା ବ୍ୟକ୍ତିଙ୍କୁ ଅନୁସୂଚିତ ଜାତିର ସଦସ୍ୟ ଭାବେ ବିଚାର କରାଯିବ ନାହିଁ। ଅନ୍ୟ କୌଣସି ଧର୍ମକୁ ଧର୍ମାନ୍ତରଣ ହେଲେ ତୁରନ୍ତ ଏବଂ ସଂପୂର୍ଣ୍ଣ ଭାବେ ଅନୁସୂଚିତ ଜାତି ମାନ୍ୟତା ଶେଷ ହୋଇଯିବ ବୋଲି କୋର୍ଟ କହିଛନ୍ତି।କୋର୍ଟ ଉଲ୍ଲେଖ କରିଛନ୍ତି ଯେ ସମ୍ବିଧାନ ଅନୁସୂଚିତ ଜାତି ଆଦେଶ, ୧୯୫୦ ଏହା ସ୍ପଷ୍ଟ କରିଛି ଏବଂ ଏହି ଆଦେଶ ଅନୁଯାୟୀ କଟକଣା ସଂପୂର୍ଣ୍ଣ ଅଟେ। ୧୯୫୦ ଆଦେଶର ଧାରା ୩ ରେ ଉଲ୍ଲେଖ ନଥିବା କୌଣସି ଧର୍ମ ଗ୍ରହଣ କଲେ, ଜନ୍ମ ଯାହା ହୋଇଥାଉ ନା କାହିଁକି, ତୁରନ୍ତ SC ମାନ୍ୟତା ରଦ୍ଦ ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।କୋର୍ଟ କହିଛନ୍ତି, “ସମ୍ବିଧାନ କିମ୍ବା ସଂସଦ କିମ୍ବା ରାଜ୍ୟ ବିଧାନସଭା ଦ୍ୱାରା ପ୍ରଣୀତ କୌଣସି ଆଇନଗତ ସୁବିଧା, ସୁରକ୍ଷା କିମ୍ବା ସଂରକ୍ଷଣ ସେହି ବ୍ୟକ୍ତିଙ୍କୁ ମିଳିବ ନାହିଁ, ଯିଏ ଧାରା ୩ ଅନୁଯାୟୀ ଅନୁସୂଚିତ ଜାତିର ସଦସ୍ୟ ଭାବେ ବିବେଚିତ ନୁହଁନ୍ତି। ଏହି ନିୟମ ସଂପୂର୍ଣ୍ଣ ଏବଂ ଏଥିରେ କୌଣସି ବ୍ୟତିକ୍ରମ ନାହିଁ। ଜଣେ ବ୍ୟକ୍ତି ଧାରା ୩ ରେ ନିର୍ଦ୍ଦିଷ୍ଟ ଧର୍ମ ବ୍ୟତୀତ ଅନ୍ୟ ଧର୍ମ ପାଳନ କରିବା ସହ ଅନୁସୂଚିତ ଜାତିର ସଦସ୍ୟତା ଦାବି କରିପାରିବେ ନାହିଁ।”ଏହି ଆଦେଶ ଜଣେ ବ୍ୟକ୍ତିଙ୍କ ସନ୍ଦର୍ଭରେ ଦିଆଯାଇଛି, ଯିଏ ଖ୍ରୀଷ୍ଟଧର୍ମ ଗ୍ରହଣ କରି ପାଷ୍ଟର ଭାବରେ କାର୍ଯ୍ୟ କରୁଥିଲେ, କିନ୍ତୁ କିଛି ବ୍ୟକ୍ତିଙ୍କ ବିରୋଧରେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରି ଏସସି/ଏସଷ୍ଟି ଅଧିନିୟମ ଅନୁଯାୟୀ ମାମଲା ଦାୟର କରିଥିଲେ। ସେ ଏସସି/ଏସଷ୍ଟି ଆକ୍ଟ ଅଧୀନରେ ସୁରକ୍ଷା ଦାବି କରିଥିଲେ, ଯାହାକୁ ଅଭିଯୁକ୍ତମାନେ ଆଇନଗତ ଭାବେ ଭୁଲ ବୋଲି ଚ୍ୟାଲେଞ୍ଜ କରିଥିଲେ, କାରଣ ସେହି ପାଷ୍ଟର ଜଣକ ଧର୍ମାନ୍ତରିତ ହୋଇସାରିଥିଲେ।୩୦ ଏପ୍ରିଲ, ୨୦୨୫ର ଏକ ଆଦେଶରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ କହିଥିଲେ ଯେ ଜାତି ପ୍ରଥା ଖ୍ରୀଷ୍ଟଧର୍ମ ପାଇଁ ଅପରିଚିତ, ତେଣୁ ଏହି କ୍ଷେତ୍ରରେ ଏସସି/ଏସଷ୍ଟି ଆକ୍ଟ ଲାଗୁ ହୋଇପାରିବ ନାହିଁ। ହାଇକୋର୍ଟର ବିଚାରପତି ଜଷ୍ଟିସ ହରିନାଥ ଏନ୍. ସେହି ଅଭିଯୋଗକାରୀଙ୍କ ଦ୍ୱାରା ଦାୟର ହୋଇଥିବା ମାମଲାକୁ ଖାରଜ କରିଦେଇଥିଲେ। ଏହା ବିରୋଧରେ ପାଷ୍ଟର ଜଣକ ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ୍ ପିଟିସନ ଦାଖଲ କରିଥିଲେ।ସୁପ୍ରିମକୋର୍ଟରେ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଏବଂ ଜଷ୍ଟିସ ମନମୋହନଙ୍କୁ ନେଇ ଗଠିତ ବେଞ୍ଚ କହିଛନ୍ତି: “ବର୍ତ୍ତମାନର ମାମଲାରେ ଆବେଦନକାରୀ ଖ୍ରୀଷ୍ଟଧର୍ମରୁ ପୁଣି ନିଜ ମୂଳ ଧର୍ମକୁ ଫେରିଥିବା କିମ୍ବା ମାଦିଗା ସମ୍ପ୍ରଦାୟ ଦ୍ୱାରା ଗ୍ରହଣ କରାଯାଇଥିବା କଥା କହିନାହାଁନ୍ତି। ବରଂ ପ୍ରମାଣରୁ ଜଣାପଡୁଛି ଯେ ସେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଜଣେ ପାଷ୍ଟର ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଗ୍ରାମର ବିଭିନ୍ନ ଘରେ ରବିବାର ପ୍ରାର୍ଥନା କରୁଛନ୍ତି। ଏହି ତଥ୍ୟଗୁଡ଼ିକ ସ୍ପଷ୍ଟ କରୁଛି ଯେ ଘଟଣା ଘଟିବା ଦିନ ସେ ଜଣେ ଖ୍ରୀଷ୍ଟିଆନ ଥିଲେ।”ଏହି ନିଷ୍ପତ୍ତି ଏକ ଅପରାଧିକ ଆବେଦନରୁ ଆସିଛି ଯେଉଁଠାରେ ଆବେଦନକାରୀଙ୍କ ବିରୋଧରେ ଏସସି/ଏସଷ୍ଟି ଆକ୍ଟ ଏବଂ ଭାରତୀୟ ଦଣ୍ଡ ସଂହିତା ର ବିଭିନ୍ନ ଧାରାରେ ଅଭିଯୋଗ ହୋଇଥିଲା। ଅଭିଯୋଗକାରୀ ଦର୍ଶାଇଥିଲେ ଯେ ତାଙ୍କୁ ଜାତିଗତ ଗାଳିଗୁଲଜ ସହ ଆକ୍ରମଣ କରାଯାଇଛି। ତେବେ ଅଭିଯୁକ୍ତ ପକ୍ଷ ଯୁକ୍ତି ବାଢ଼ିଥିଲେ ଯେ ଅଭିଯୋଗକାରୀ ଖ୍ରୀଷ୍ଟଧର୍ମ ଗ୍ରହଣ କରି ସାରିଥିବାରୁ ସେ ଆଉ ଅନୁସୂଚିତ ଜାତିର ହୋଇ ରହିନାହାଁନ୍ତି, ତେଣୁ ଏସସି/ଏସଷ୍ଟି ଆକ୍ଟ ତାଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ।ଅଦାଲତ କହିଛନ୍ତି ଯେ କେବଳ ଜାତି ପ୍ରମାଣପତ୍ର ରଦ୍ଦ ହୋଇନଥିବା କାରଣରୁ ଜଣେ ବ୍ୟକ୍ତି ଧର୍ମାନ୍ତରଣ ପରେ ଏସସି/ଏସଟି ଆକ୍ଟର ସୁରକ୍ଷା ପାଇବାକୁ ହକଦାର ନୁହଁନ୍ତି।





