ଝାରସୁଗୁଡ଼ାରେ ପହଞ୍ଚିଲେ ମହାନଦୀ ଟ୍ରିବୁନାଲ ଟିମ୍, ଆସନ୍ତାକାଲିଠୁ କରିବେ ଅବବାହିକା ପରିଦର୍ଶନ

ଭୁବନେଶ୍ୱର,୧୯/୫(ସତ୍ୟପାଠ ବ୍ୟୁରୋ): ମହାନଦୀ ଜଳ ବିବାଦ ସମାଧାନ ଲାଗି ଆସନ୍ତାକାଲିଠୁ ଅବବାହିକା ପରିଦର୍ଶନ କରିବେ ଟ୍ରିବୁନାଲ ଟିମ୍। ଏଥିପାଇଁ ଟ୍ରିବୁନାଲ ଅଧ୍ୟକ୍ଷ ବିଚାରପତି ଏ ଏମ ଖାଣ୍ଡିଲକରଙ୍କ ନେତୃତ୍ୱରେ ବିଚାରପତି ରବି ରଞ୍ଜନ ଏବଂ ବିଚାରପତି ଇନ୍ଦରମିତ କୌର ଙ୍କ ତିନି ଜଣିଆ ଦଳ ଆଜି ଝାରସୁଗୁଡ଼ାରେ ପହଞ୍ଚିଛନ୍ତି।

ସୂଚନା ଅନୁସାରେ, ମହାନଦୀ ଟ୍ରିବୁନାଲ ସଦସ୍ୟ ଆସନ୍ତାକାଲି ଅର୍ଥାତ୍ ମେ ୨୦ ରୁ ୨୮ ମଧ୍ୟରେ ଓଡ଼ିଶାରେ ମହାନଦୀର ଉଭୟ ଅପର ଅବବାହିକା ଓ ନିମ୍ନ ଅବବାହିକା ଅଞ୍ଚଳ ଅନୁଧ୍ୟାନ କରିବେ ।୨୦ ତାରିଖ ଶନିବାର ହୀରାକୁଦ ଜଳଭଣ୍ଡାର, ବୁର୍ଲା ପାୱାର ହାଉସ, ପ୍ରସ୍ତାବିତ ମହାନଦୀ ଏବଂ ବ୍ରାହ୍ମଣୀ ନଦୀ ସଂଯୋଗୀକରଣ ଯୋଜନା, ପାର୍ବତଗିରି ରାମ୍ପିଆ ମେଗା ଉଠାଜଳସେଚନ ପ୍ରକଳ୍ପ- ୧ ଓ ୨ ପରିଦର୍ଶନ କରିବେ।୨୧ ତାରିଖରେ ଚିପିଲିମା ପାୱାର ହାଉସ, ହୀରାକୁଦ କମାଣ୍ଡ ଏରିଆ, ବରଗଡ଼ କେନାଲ, ଅତାବିରା ଶାଖା କେନାଲ ଓ ପ୍ରସ୍ତାବିତ ଅତିରିକ୍ତ ସ୍ପିଲୱେ, ମେ ୨୨ରେ ହୀରାକୁଦ ଜଳଭଣ୍ଡାରରୁ ଶିଳ୍ପସଂସ୍ଥାଙ୍କ ଜଳଉଠାଣ ଅଞ୍ଚଳ ଓ ସୁନ୍ଦରଗଡ଼ ଠାରେ ପ୍ରସ୍ତାବିତ ଇବ୍‌‌ ନଦୀ ଜଳଭଣ୍ଡାର, ମେ ୨୩ରେ ସାଇପଲା ଡ୍ୟାମ ଓ ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ, ମେ ୨୪ରେ ସାତକୋଶିଆ ଏବଂ ଟିକରପଡ଼ା ଠାରେ କେନ୍ଦ୍ରୀୟ ଜଳ ଆୟୋଗଙ୍କ ଦ୍ୱାରା ସ୍ଥାପିତ ଜଳପ୍ରବାହ ମାପ କେନ୍ଦ୍ର ବୁଲି ଦେଖିବେ।

ମେ ୨୫ରେ ଟ୍ରାଇବୁନାଲ ବିଚାରପତି ଦଳଙ୍କ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ କାର୍ଯ୍ୟକ୍ରମ ରହିଛି।ଦ୍ୱିତୀୟ ପର୍ଯ୍ୟାୟରେ ମେ ୨୬ରେ ମହାନଦୀ ତ୍ରିକୋଣଭୂମି ଅଞ୍ଚଳ, ମୁଣ୍ଡଳି ଓ ସାପୁଆ ନଦୀର ମହାନଦୀ ମୁହାଣ ଅଞ୍ଚଳ, କାଠଯୋଡ଼ି ନଦୀ ଓ ନରାଜ ବ୍ୟାରେଜ, ମହାନଦୀ ଓ ବିରୁପା ବ୍ୟାରେଜ ଏବଂ କଟକ ଜୋବ୍ରା ସ୍ଥିତ ନୌବାଣିଜ୍ୟ ସଂଗ୍ରାହଳୟ, ମେ ୨୭ରେ ସାତପଡ଼ା ଠାରେ ଚିଲିକା ହ୍ରଦ ଓ ଗବକୁ୍‌‌ଣ୍ଡ ଠାରେ ସମୁଦ୍ର ସହ ଚିଲିକା ହ୍ରଦର ମୁହାଣ ଅଞ୍ଚଳ, ମେ ୨୮ରେ ଦୟା ଓ ଭାର୍ଗବୀ ନଦୀ, କୋଣାର୍କ ନିକଟସ୍ଥ କୁଶଭଦ୍ରା ନଦୀର ସମୁଦ୍ରରେ ମୁହାଣ ଅଞ୍ଚଳ ଏବଂ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କାର୍ଯ୍ୟକ୍ରମ ରହିଛି। କ୍ଷେତ୍ର ପରିଦର୍ଶନରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଓ ଦୁଇ ବିଚାରପତି ସଦସ୍ୟ, ରେଜିଷ୍ଟ୍ରାର, ଦୁଇ ଆସେସର୍‌, ପକ୍ଷଭୁକ୍ତ ରାଜ୍ୟର ଜଳସମ୍ପଦ ଅଧିକାରୀ, ଆଇନଜୀବୀ ଓ ବୈଷୟିକ ଟିମ୍‌ର ସଦସ୍ୟ ସାମିଲ ହେବେ।ମେ ୨୮ ସଂଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରୁ ଟ୍ରାଇବୁନାଲ ଦଳ ଦିଲ୍ଳୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ତେବେ ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାର କୁ ଉପର ମୁଣ୍ଡରୁ ଜଳ ପ୍ରବାହ ସାଂଘାତିକ ଭାବେ ହ୍ରାସ ପାଉଛି । ୨୦୧୬ର ନିଅଣ୍ଟିଆ ସ୍ଥିତି ସାରା ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଥିଲା । ପାଞ୍ଚ ବର୍ଷ ତଳେ ଖୋଦ୍ ରାଜ୍ୟ ସରକାର ମହନଦୀ ପାଇଁ ମାଷ୍ଟରପ୍ଲାନ ଆରମ୍ଭ କରିଥିଲେ । ଯୋଜନା ଅନୁଯାୟୀ ଦେଓଗାଁ, ଗୋଧନେଶ୍ବର, କପାସିରା, ଖଇରମାଳ, ସୁବଳୟା, ମଣିଭଦ୍ରା, ମୁଣ୍ଡଳୀ ଭଳି ୭ ଟି ସ୍ଥାନରେ ବ୍ୟାରେଜ ତିଆରି ହେବାର ଥିଲା । ଏହାବାଦ ମହାନଦୀର ଶାଖା ଓ ଉପନଦୀରେ ବି ଛୋଟବଡ଼ ୨୦ଟି ବ୍ୟାରେଜ କରିବାକୁ ସରକାର ଯୋଜନା କରିଥିଲେ । ଉଦ୍ଦେଶ୍ୟ ଥିଲା, ବର୍ଷା ବେଳେ ସମୁଦ୍ରକୁ ବହିଯାଇଥିବା ୫୨% ପାଣିକୁ ଅଟକାଇ ଏହାକୁ ଖରାଦିନେ କାମରେ ବ୍ୟବହାର କରାଯିବ ।ହେଲେ ବାସ୍ତବତା ବ୍ୟାରେଜ ତ ଦୂରର କଥା ସରକାରଙ୍କ ଘୋଷଣା କେବଳ କଥାରେ ସୀମିତ ହୋଇ ରହିଯାଇଛି।ଏହାକୁ ନେଇ ମହାନଦୀ ଅବବାହିକାରେ ବସବାସ କରୁଥିବା ଚାଷୀଙ୍କ ସହ ବିରୋଧୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ତେବେ ଓଡିଶାର ଜୀବନ ଧାରା ମହାନଦୀରେ ଛତିଶଗଡ଼ ପ୍ରକଳ୍ପ ପାଇଁ ହଜାର ହଜାର ନିରୀହ ଚାଷୀ, ମତ୍ସ୍ୟଜିବୀ ତଥା ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ରାଜ୍ୟ ସରକାର ମହାନଦୀ ତଳ ମୁଣ୍ଡରେ କେବେ ପ୍ରକଳ୍ପ କରୁଛନ୍ତି ଓ ରାଜ୍ୟବାସୀଙ୍କୁ ହକ କେବେ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Related Posts