ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ବାସଭବନ ନିକଟରୁ ଉଦ୍ଧାର ହେଲା ଅଫୁଟା ବୋମା

ଭୁବନେଶ୍ୱର,୨/୧(ସତ୍ୟପାଠ ବ୍ୟୁରୋ): ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ବାସଭବନ ନିକଟରୁ ଉଦ୍ଧାର ହେଲା ଅଫୁଟା ବୋମାର ସେଲ୍। ସୋମବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଚଣ୍ଡିଗଡ଼ ସ୍ଥିତ ବାସଭବନ ନିକଟରୁ ବୋମା ଉଦ୍ଧାର କରାଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି। ତେବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ତାଙ୍କ ବାସଭବନରେ ନାହାନ୍ତି ବୋଲି ଖବର ମିଳିଛି।

ତୁରନ୍ତ ରାଜ୍ୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଅଞ୍ଚଳକୁ ସିଲ୍ କରିଛି।ବୋମା ନିଷ୍କ୍ରୀୟକାରୀ ଦଳ ସେଠାରେ ପହଞ୍ଚିଛନ୍ତି। ତେବେ ଯେଉଁ ସ୍ଥାନରେ ବୋମା ସେଲ୍ ମିଳିଛି, ସେହିଠାରୁ ପଞ୍ଜାବ ଓ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ହେଲିପ୍ୟାଡ୍ ମାତ୍ର ଅଳ୍ପ ଦୂର।

ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ଚଣ୍ଡିଗଡ଼ ବିପର୍ଯ୍ୟୟ ପରିଚଳନା ନୋଡାଲ ଅଫିର ସଞ୍ଜୀବ କୋହଲି। ସେ କହିଛନ୍ତି ଯେ, ‘ଏକ ଜୀବନ୍ତ ବୋମା ସେଲ୍ ଉଦ୍ଧାର ହୋଇଛି। ପୁଲିସ ଓ ବୋମା ନିଷ୍କ୍ରୀୟ ଟିମ୍ ସହାଯ୍ୟରେ ସ୍ଥାନକୁ ସୁରକ୍ଷା ଦିଆଯାଇଛି। ସେନା ଟିମକୁ ବି ଡକାଯାଇଛି। ଉକ୍ତ ଅଞ୍ଚଳକୁ କର୍ଡନ କରାଯାଇଛି। ଘଟଣାରେ ପରବର୍ତ୍ତି ତଦନ୍ତ ଜାରି ରହିଛି।’

Related Posts