ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମାଟି ତଳୁ ବାହାରିଲା ବିଡ଼ା ବିଡ଼ା ୫୦୦ ଟଙ୍କିଆ । ପୁଲିସ ମାଟି ଖୋଳି ବିଡ଼ାବିଡ଼ା ନୋଟ୍ ଜବତ କରିଛି। ଯାହା ଦେଖି ପୁଲିସ କର୍ମଚାରୀ ଆବାକ୍। ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୩୨ ଲକ୍ଷ ଟଙ୍କା ଜବତ କରିଛି ପୁଲିସ୍। ଏହି ଟଙ୍କା ସମ୍ବଲପୁର ଜିଲ୍ଲାର ଏକ ହୋଟେଲରୁ ଚୋରି ହୋଇଥିବା ବେଳେ ଦେବଗଡ଼ ଜିଲ୍ଲାରୁ ଜବତ କରିଛି ପୁଲିସ। ଗତ ୧୬ ତାରିଖରେ ସମ୍ବଲପୁରର ଭିଏସ୍ଏସ୍ ମାର୍ଗ ସ୍ଥିତ ହୋଟେଲରୁ ୩୯ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ହୋଟେଲ ମାଲିକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସିସିଟିଭି ଫୁଟେଜକୁ ଆଧାର କରି ହୋଟେଲର ପୂର୍ବତନ କର୍ମଚାରୀଙ୍କ ସହ ୪ ଜଣଙ୍କୁ ଗିରଫ କରିଥିଲା।
ସେମାନଙ୍କୁ ପଚରାଉଚରା କରିବା ପରେ ଦେବଗଡ଼ରେ ଏହି ଟଙ୍କା ମାଟି ତଳେ ଲୁଚାଇ ରଖିଥିବା ଅଭିଯୁକ୍ତମାନେ ପୁଲିସ ନିକଟରେ ମାନିଥିଲେ।ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଟି ଖୋଳି ଅଖା ଭିତରୁ ୫୦୦ ଟଙ୍କିଆ ବିଡ଼ା ବିଡ଼ା ନୋଟ୍ ଜବତ କରିଛି। ଯାହା ୩୨ ଲକ୍ଷ ଟଙ୍କା ହେବ। ହୋଟେଲରୁ ୩୯ ଲକ୍ଷ ଟଙ୍କା ଚୋରି ହୋଇଥିବା ବେଳେ ପୁଲିସ ହାତରେ ୩୨ ଲକ୍ଷ ଟଙ୍କା ଲାଗିଛି। ଅଭିଯୁକ୍ତମାନେ ଅବଶିଷ୍ଟ ଟଙ୍କାକୁ କେଉଁଠି ରଖିଲେ, ପୁଲିସ ତାର ତଦନ୍ତ କରୁଛି। ଏହି ଘଟଣା ବିଷୟରେ ସମ୍ବଲପୁର ଏସ୍ପି ଆଜି ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦେବେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।





