କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣଙ୍କ ବିରୋଧରେ ରୁଜୁ ହେବ ମାମଲା, ସୁପ୍ରିମକୋର୍ଟରେ କହିଲା ଦିଲ୍ଲୀ ପୋଲିସ୍‌

ଭୁବନେଶ୍ୱର,୨୮/୪(ସତ୍ୟପାଠ ବ୍ୟୁରୋ): ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ମାମଲା ରୁଜୁ କରିବ ଦିଲ୍ଲୀ ପୋଲିସ୍‌। ଶୁକ୍ରବାର ଦିଲ୍ଲୀ ପୋଲିସ୍‌ ସୁପ୍ରିମକୋର୍ଟରେ, ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରିବା ନେଇ କହିଛି।

ସୂଚନାଯୋଗ୍ୟ, ବିଗତ କିଛି ଦିନ ହେଲା ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରିବା ଦାବିରେ ଦେଶର ଅନେକ ବଡ଼ ବଡ଼ କୁସ୍ତିଯୋଦ୍ଧା ଜନ୍ତର-ମନ୍ତର ଠାରେ ଧାରଣାରେ ବସିଛନ୍ତି। ଯେଉଁଥିରେ ବିନେଶ ଫୋଗାଟ, ବଜରଙ୍ଗ ପୂନିଆ, ସାକ୍ଷୀ ମଲିକ, ସଙ୍ଗୀତା ଫୋଗାଟଙ୍କ ଭଳି ଅନେକ ବଡ଼ କୁସ୍ତିଯୋଦ୍ଧା ରହିଛନ୍ତି।

ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ବରିଷ୍ଠ ଆଇନଜୀବି କପିଲ ସିବ୍ବଲ ମହିଳା କୁସ୍ତିଯୋଦ୍ଧାଙ୍କ ସୁରକ୍ଷା ଦାବି କରିଥିଲେ। କପିଲ ସିବ୍ବଲ ଏକ ସ୍ପେଶାଲ ଟାସ୍କ ଫୋର୍ସ ଗଠନ କରିବାକୁ ମଧ୍ୟ ଦାବି କରିଛନ୍ତି। ସିବ୍ବଲ ଦଲିଲ୍‌ରେ ମୁଖ୍ୟ ଅଭିଯୁକ୍ତଙ୍କ ଉପରେ ହତ୍ୟା ସହ ୪୦ ମାମଲା ଥିବା ନେଇ କହିଛନ୍ତି।

ଏହାସହିତ ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସ୍‌ କମିଶନରଙ୍କୁ ଆଦେଶ ଦେଇଛନ୍ତି ଯେ, ବିପଦକୁ ନେଇ ସଂପୂର୍ଣ୍ଣ ଯାଞ୍ଚ କରି ନାବାଳିକା ଅଭିଯୋଗକାରୀଙ୍କୁ ସୁରକ୍ଷା ଦିଅନ୍ତୁ। ଏହି ମାମଲାରେ ମେ ୫ ରେ ଆଗାମୀ ଶୁଣାଣି ହେବ।

ସୂଚନାଯୋଗ୍ୟ, ବ୍ରିଜ୍‌ଭୂଷଣଙ୍କ ଉପରେ ମହିଳା କୁସ୍ତିଯୋଦ୍ଧାଙ୍କ ସହ ଯୌନ ଶୋଷଣ କରିବା ନେଇ ଅଭିଯୋଗ ରହିଛି। ଜାନୁଆରୀରେ ବ୍ରିଜ୍‌ଭୂଷଣଙ୍କୁ ନେଇ ଖୁଲାସା କରିବା ପରେ ବିନେଶ ଫୋଗାଟ, ବଜରଙ୍ଗ ପୂନିଆ, ସାକ୍ଷୀ ମଲିକଙ୍କ ସହ ଅନେକ ତାରକା କୁସ୍ତିଯୋଦ୍ଧା ଧାରଣାରେ ବସିଥିଲେ। ଖେଳ ମନ୍ତ୍ରାଳୟ ଏହାପରେ ଯାଞ୍ଚ କମିଟି ଗଠନ କରିଥିଲେ। କିନ୍ତୁ ୩ ମାସ ପରେ କୁସ୍ତିଯୋଦ୍ଧାମାନେ କହିଥିଲେ ଯେ ଅଭିଯୋଗ ପରେ ବି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରାଯାଉନାହିଁ।

Related Posts