ଭୁବନେଶ୍ୱର,୧୫/୬(ସତ୍ୟପାଠ ବ୍ୟୁରୋ): ଆଜି ଉତ୍ତରପୂର୍ବ ଦିଲ୍ଲୀ ଅନ୍ତର୍ଗତ ମୁଖାର୍ଜୀ ନଗର ଅଞ୍ଚଳରେ ଥିବା ଏକ କୋଚିଙ୍ଗ୍ ସେଣ୍ଟର୍ରେ ଅଗ୍ନିକାଣ୍ଡ ଘଟିବାରୁ ଛାତ୍ରଛାତ୍ରୀମାନେ ଝରକା ଦେଇ ବାହାରକୁ ବାହାରି ଆସିଥିବା କଥା ଏକ ଭିଡିଓରେ ଦେଖାଯାଉଛି।
ସେପଟେ ନିଆଁ ଲିଭାଇବା ଓ ଉଦ୍ଧାର କାର୍ଯ୍ୟ କରିବା ପାଇଁ ଘଟଣାସ୍ଥଳକୁ ପ୍ରାୟ ୧୧ଟି ଦମକଳ ପଠାଯାଇଛି ବୋଲି ଦିଲ୍ଲୀ ଅଗ୍ନିଶମ ସେବାର ନିର୍ଦେଶକ ଅତୁଲ ଗର୍ଗ କହିଛନ୍ତି।
ନିଆଁ ଲାଗିବାର ପ୍ରକୃତ କାରଣ ଜଣା ନ ପଡ଼ିଥିଲେ ବି ଗୋଟାଏ ଇଲେକ୍ଟ୍ରିକ୍ ମିଟର୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଏହି ଘଟଣାରେ ୪ଜଣ ଛାତ୍ର ଆହତ ହୋଇଛନ୍ତି। ଏହା ବଡ଼ ଧରଣର ଅଗ୍ନିକାଣ୍ଡ ନୁହେଁ ବୋଲି ସେ କହିଛନ୍ତି।ପୁଲିସ କହିବା ଅନୁସାରେ, ତାରରେ ଓହଳି ତଳକୁ ଓହ୍ଲାଉଥିବା ବେଳେ ଛାତ୍ର ୪ଜଣ ଆହତ ହୋଇଛନ୍ତି।
ପ୍ରାରମ୍ଭିକ ସୂଚନା ଅନୁସାରେ, ଅପରାହ୍ଣ ପ୍ରାୟ ୧୨.୩୦ରେ ଉକ୍ତ କୋଚିଙ୍ଗ୍ ସେଣ୍ଟର୍ରେ ନିଆଁ ଲାଗିଥିଲା। ଅଗ୍ନିଶମ ବିଭାଗ ସେୟାର୍ କରିଥିବା ଭିଡିଓରେ ଦେଖାଯାଉଛି, ଝରକା ବାଟ ଦେଇ ଅଗ୍ନିଶମ କର୍ମଚାରୀମାନେ ଲୋକମାନଙ୍କୁ, ବିଶେଷ କରି ଛାତ୍ରଛାତ୍ରୀମାନଙ୍କୁ ବାହାରକୁ ଆଣୁଛନ୍ତି। ଏ ପର୍ଯ୍ୟନ୍ତ କାହାର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିନାହିଁ ।
ତେବେ ପ୍ରବଳ ଧୂଆଁ ଯୋଗୁଁ ଭିତରେ ଥିବା ଛାତ୍ରଛାତ୍ରୀମାନେ ଛାନିଆରେ ଚିତ୍କାର କରିଥିଲେ ଓ ପ୍ରାଣ ବନ୍ଚିଵାକୁ ଝରକା ବାଟ ଦେଇ ବାହାରକୁ ବାହାରୁଥିବା ଦେଖିବାକୁ ମିଳିଛି । ସେପଟେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା କଥା ଦିଲ୍ଲୀ ପୁଲିସ କହିଛି।





