ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ବିଧାନସଭାକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳମାନେ ଜୋରଦାର ପ୍ରଚାର କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ସମାଜବାଦୀ ପାର୍ଟିର ଏକ ସଭାରେ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି । ତେବେ ଉତ୍ତର ପ୍ରଦେଶ ବାହ ନିର୍ବାଚନ ମଣ୍ଡଳୀରେ ଆୟୋଜିତ କାର୍ୟ୍ୟକ୍ରମରେ ସପାର ଜାତୀୟ ସାଧାରଣ ସମ୍ପାଦକ ରାମଜୀଲାଲ ସୁମନ ଜିଲ୍ଲା ସଭାପତି ଜିତେନ୍ଦ୍ର ବର୍ମାଙ୍କୁ ଷ୍ଟେଜ ଉପରେ ଚାପୁଡ଼ା ମାରିବାକୁ ହାତ ଉଠାଇଛନ୍ତି। ଏହି ସମୟରେ ଶ୍ରୀ ବର୍ମାଙ୍କ ପାଖରେ ସପା ସୁପ୍ରିମୋ ଅଖିଲେଶ ଯାଦବ ମଧ୍ୟ ଉପସ୍ଥିତ ଥିଲେ। ହେଲେ ସେ ଏହି ଘଟଣାକୁ ହାଲୁକା କରିବା ପାଇଁ ଠୋଠୋ ହୋଇ ହସୁଥିବାର ଭିଡିଓ ସାମ୍ନାକୁ ଆସିଛି। କେବଳ ଅଖିଲେଶ ନୁହନ୍ତି, ଷ୍ଟେଜରେ ବସିଥିବା ସପାର ସବୁ ନେତା ଘଟଣା ଦେଖି ହସିଛନ୍ତି। ଗୋଟିଏ ନିର୍ବାଚନ ରାଲିର ଆୟୋଜନ ହୋଇଥିଲା। ଏଥିରେ ରାଜଜୀଲାଲ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧନ କରିଥିଲେ। ସେ ଷ୍ଟେଜରେ ଛିଡ଼ା ହୋଇ ଭାଷଣ ଦେଉଥିବା ବେଳେ ବର୍ମା ଓ ଅଖିଲେଶ ପରସ୍ପର ସହ କଥା ହେବାରେ ଲାଗିଥିଲେ।
ପ୍ରଥମେ ରାମଜୀଲାଲ କଥାବାର୍ତ୍ତା ବନ୍ଦ କରି ଭାଷଣ ଶୁଣିବାକୁ ହାତ ଦେଖାଇ ବର୍ମାଙ୍କୁ ସଙ୍କେତ ଦେଇଥିଲେ। ହେଲେ ସେ ଏହାକୁ ବୁଝି ପାରି ନଥିଲେ। ଅଖିଲେଶ ମଧ୍ୟ ଭାଷଣ ଚାଲିଥିବା ବେଳେ ବର୍ମାଙ୍କ ସହ କଥାବାର୍ତ୍ତାରେ ମାତିଥିଲେ। ଏଥିରେ ରାଗି ଯାଇ ରାମଜୀଲାଲ ଅଧାରୁ ଭାଷଣ ବନ୍ଦ କରି ବର୍ମାଙ୍କ ପାଖକୁ ଯାଇଥିଲେ। ଏଥିସହ ତାଙ୍କୁ ମାରିବା ପାଇଁ ହାତ ମଧ୍ୟ ଉଠାଇଥିଲେ। ସେ ଏହା ଦେଖି ଆଶ୍ଚର୍ୟ୍ୟ ହୋଇଥିଲେ ମଧ୍ୟ ଅଖିଲେଶ ଜୋରରେ ହସିବାକୁ ଲାଗିଥିଲେ। ଷ୍ଟେଜରେ ଥିବା ଅନ୍ୟ ନେତାମାନେ ବର୍ମା ଓ ରାମଜୀଲାଲଙ୍କ ଏପରି ଆଚରଣକୁ ଦେଖି ଆଶ୍ଚର୍ୟ୍ୟ ହୋଇଥିଲେ। ଅବଶ୍ୟ ଏହି ଘଟଣାକୁ ସମସ୍ତେ ହାଲୁକା ଭାବେ ନେଇ ହସରେ ଉଡ଼ାଇ ଦେଇଛନ୍ତି। ପୂରା ଘଟଣା କ୍ୟାମେରାରେ କଏଦ ହୋଇଛି। ଏବଂ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।





