ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଣ୍ଡାମାନ ସାଗରର ଲଘୁଚାପ ୱେଲ ମାର୍କଡ୍ ଲୋ-ପ୍ରେସରରେ ପରିଣତ ହୋଇଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ମଙ୍ଗଳବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଯାହା ବୁଧବାର ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ଗୁରୁବାର ସୁଦ୍ଧା ଅବପାତର ରୂପ ନେବ ସୁଦୃଶ୍ୟ ଲଘୁଚାପ ।ପରବର୍ତ୍ତୀ ୪୮ ଘଣ୍ଟାରେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ।
ସେପଟେ ସମ୍ଭାବ୍ୟ ବାତ୍ୟା ନେଇ ୭ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ । ସମ୍ଭାବ୍ୟ ବାତ୍ୟା ନେଇ ୭ ଜିଲ୍ଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମର ଜିଲ୍ଲାପାଳଙ୍କୁ SRC ଚିଠି ଲେଖିଛନ୍ତି । ଡିସେମ୍ବର ୧ ତାରିଖରୁ ସମୁଦ୍ରରେ ପବନ ବହିବ । ଫଳରେ ସମୁଦ୍ର ଆଶାନ୍ତ ରହିବ । ତେଣୁକରି ୧ ତାରିଖରୁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ମଧ୍ୟରୁ ଯିବାକୁ ବାରଣ ନିର୍ଦ୍ଦେଶ ରହିଛି । ଯେଉଁମାନେ ସମୁଦ୍ର ଭିତରେ ଅଛନ୍ତି ସେମାନେ ୧ ତାରିଖ ପୂର୍ବରୁ ଫେରିବାକୁ ପରାମର୍ଶ ଦିଆଯାଇଛି । ସମ୍ପୃକ୍ତ ବିଭାଗର ସଚିବଙ୍କୁ ମଧ୍ୟ ଏହା ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ରହିଛି ।
ସେହିଭଳି ସମ୍ଭାବ୍ୟ ବାତ୍ୟା ନେଇ ଚାଷୀଙ୍କ ଚିନ୍ତା ବଢିଛି । ଅମଳ ସମୟରେ ବର୍ଷା କି ପବନ ହେଲେ ପୁରା କ୍ଷେତ ଉଜୁଡି ଯିବାର ଭୟ ରହିଛି । ଚାଷୀଙ୍କୁ ସତର୍କ କରାଇବା ପାଇଁ କୃଷି ବିଭାଗକୁ SRC ନିର୍ଦ୍ଦେଶ ଦେଇଛନ୍ତି ।





