ଆସୁଛି ଭୟଙ୍କର ମାନ୍ଦାବସ୍ଥା, ପ୍ରଭାବିତ ହେବେ ବିଶ୍ଵର ଏକ ତୃତୀୟାଂଶ ଦେଶ; ସତର୍କ କରାଇଲା ଆଇଏମ୍‌ଏଫ୍

ଭୁବନେଶ୍ୱର,୩/୧(ସତ୍ୟପାଠ ବ୍ୟୁରୋ): ନୂଆବର୍ଷ ସାଙ୍ଗକୁ ସାରା ବିଶ୍ୱକୁ ଆସୁଛି ମାନ୍ଦାବସ୍ଥା। ବିଶ୍ବ ଅର୍ଥବ୍ୟବସ୍ଥାକୁ ନେଇ ଚେତାବନୀ ଦେଇଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍)। ଆଇଏମଏଫ୍ ମୁଖ୍ୟ କ୍ରିଷ୍ଟଲୀନା ଜାର୍ଜିଭର ୨୦୨୩ରେ ବିଶ୍ବ ଅର୍ଥନୀତିରେ ମାନ୍ଦାବସ୍ଥା ନେଇ ଚେତାବନୀ ଦେଇଛନ୍ତି। ଚଳିତ ବର୍ଷ ବିଶ୍ବର ଏକ ତୃତୀୟାଂଶ ଦେଶରେ ମାନ୍ଦାବସ୍ଥା ଦେଖାଦେବ ଏବଂ ତାହା ଗତବର୍ଷ ତୁଳନାରେ ଆହୁରି ଭୟଙ୍କର ହୋଇପାରେ ବୋଲି ସେ କହିଛନ୍ତି। ଆମେରିକା, ୟୁରୋପୀୟ ସଂଘ ଏବଂ ଚୀନ୍‌ରେ ମାନ୍ଦାବସ୍ଥା ରହିବା ସହ ଚଳତ ବର୍ଷ ୨୦୨୨ ତୁଳନାରେ ଅଧିକ କଠିନ ରହିବ ବୋଲି ଚେତାବନୀ ଦେଇଛନ୍ତି କ୍ରିଷ୍ଟଲୀନା।

ରବିବାର ଏକ ସାକ୍ଷାତକାରରେ ଏଭଳି ଚେତାବନୀ ଦେଇଛନ୍ତି କ୍ରିଷ୍ଟଲୀନା। ସୂଚନାଯୋଗ୍ୟ, ୧୦ ମାସ ବିତିଥିଲେ ବି ଋଷ-ୟୁକ୍ରେନ ଯୁଦ୍ଧ ଶେଷ ହେଉନାହିଁ, ମୁଦ୍ରାସ୍ଫୀତି ବଢ଼ୁଛି, ଉଚ୍ଚ ସୁଧ ହାର ଏବଂ ଚୀନରେ କରୋନା ଭାଇରସ ସଂକ୍ରମଣ ବଢ଼ିଥିବାବେଳେ କ୍ରିଷ୍ଟଲୀନାଙ୍କ ଚେତାବନୀକୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ଥିତି ଏଭଳି ହୋଇପାରେ ଯେଉଁଠାରେ ମାନ୍ଦାବସ୍ଥା ନାହିଁ ସେଠାରେ ମଧ୍ୟ କୋଟି କୋଟି ଲୋକଙ୍କ ପାଇଁ ମାନ୍ଦାବସ୍ଥା ଭଳି ସ୍ଥିତି ଉତ୍ପନ୍ନ ହୋଇପାରେ।

ଏହାପୂର୍ବରୁ ଆଇଏମଏଫ୍ ଗତବର୍ଷ ଅକ୍ଟୋବରରେ ୨୦୨୩ ଆର୍ଥିକ ବୃଦ୍ଧି କମିବା ନେଇ ଅନୁମାନ କରିଥିଲା। ଆଇଏମଏଫ୍ କହିଥିଲା ଯେ, ବୈଶ୍ବିକ ବୃଦ୍ଧି ହାର ୨୦୨୨ ରେ ୩.୨ ପ୍ରତିଶତ ଥିବାବେଳେ ଏହି ୨୦୨୩ରେ ହ୍ରାସ ପାଇ ୨.୭ ପ୍ରତିଶତରେ ପହଞ୍ଚିବ। ୨୦୨୧ ରେ ଏହା ୬ ପ୍ରତିଶତ ଥିଲା। ବୈଶ୍ବିକ ଆର୍ଥିକ ସଙ୍କଟ ଏବଂ କୋଭିଡ୍ ୧୯ ମହାମାରୀ ସମୟକୁ ବାଦ୍ ଦେଲେ ଏହା ୨୦୦୧ ପରେ ଏହି ଆର୍ଥିକ ବୃଦ୍ଧି ସବୁଠୁ କମ୍। କ୍ରିଷ୍ଟଲୀନା କହିଛନ୍ତି ଯେ, ଆଗାମୀ ଏକ ରୁ ଦୁଇ ମାସ ଚୀନ ପାଇଁ କଠିନ ହେବ ଏବଂ ବୈଶ୍ବିକ ବୃଦ୍ଧି ଉପରେ ନକରାତ୍ମକ ପ୍ରଭାବ ପଡ଼ିବ।

Related Posts