ନୁଆଦିଲ୍ଲୀ : ଆଞ୍ଚଳିକ ଦଳମାନଙ୍କ ଆୟବ୍ୟୟକୁ ବିଶ୍ଳେଷଣ କରି ଆସୋସିଏସନ୍ ଫର୍ ଡେମୋକ୍ରେଟିକ ରିଫର୍ମ (ଏଡିଆର୍) ପକ୍ଷରୁ ପ୍ରକାଶିତ ହୋଇଛି ରିପୋର୍ଟ | ୨୦୨୦-୨୧ରେ ଭାରତର ୩୧ଟି ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ଆୟରେ ବିଜୁ ଜନତା ଦଳ (ବିଜେଡି) ତୃତୀୟ ସ୍ଥାନରେ ଥିଲାବେଳେ, ବିଜେଡିର ଆୟ ଥିଲା ୭୩.୩୪ କୋଟି ଟଙ୍କା। ସେହିପରି ଡିଏମ୍କେ ସବୁଠାରୁ ଆଗରେ ଥିଲା। ଏହାର ଆୟ ଥିଲା ୧୪୯.୯୫ କୋଟି ଟଙ୍କା। ୱାଇଏସ୍ଆର୍ କଂଗ୍ରେସ ଦ୍ବିତୀୟ ସ୍ଥାନରେ ଥିବା ବେଳେ ଏହାର ଆୟ ପରିମାଣ ଥିଲା ୧୦୭.୯୯ କୋଟି ଟଙ୍କା।
ଏଥିସହ ଉକ୍ତ ବର୍ଷ ୩୧ଟି ଆଞ୍ଚଳିକ ଦଳର ମୋଟ ଆୟ ପରିମାଣ ୫୨୯.୪୧ କୋଟି ଟଙ୍କା ରହିଛି |
ଏଡିଆର୍ ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁସାରେ ୬୫.୩୧ କୋଟି ଟଙ୍କା ଆୟ ସହ ଜେଡି(ୟୁ) ଚତୁର୍ଥ ଏବଂ ୩୭.୬୫ କୋଟି ଟଙ୍କା ଆୟ ସହ ଟିଆର୍ଏସ୍ ପଞ୍ଚମ ସ୍ଥାନରେ ରହିଛି। କେବଳ ୫ଟି ଶୀର୍ଷ ଆୟକାରୀ ଆଞ୍ଚଳିକ ଦଳର ଘୋଷିତ ଆୟ ପରିମାଣ ୪୩୪.୨୫ କୋଟି ଟଙ୍କା ଥିଲା। ୨୦୨୦-୨୧ରେ ୩୧ଟି ଆଞ୍ଚଳିକ ଦଳ ୪୧୪.୦୨୮ କୋଟି ଟଙ୍କା ବ୍ୟୟ କରିଛନ୍ତି । ଉକ୍ତ ବର୍ଷ ଯେଉଁ ୫ଟି ଆଞ୍ଚଳିକ ଦଳ ଆୟ ତୁଳନାରେ କମ ବ୍ୟୟ କରିଛନ୍ତି ସେମାନଙ୍କ ମଧ୍ୟରେ ବିଜେଡି ରହିଛି। ଆୟ ତୁଳନାରେ ବ୍ୟୟ ପ୍ରତିଶତକୁ ହିସାବକୁ ନେଲେ ୱାଏସ୍ଆର୍ କଂଗ୍ରେସ ପରେ ବିଜେଡି ଦ୍ବିତୀୟ ସ୍ଥାନରେ ରହିଛି। ମୋଟ ଆୟରୁ ୱାଇଏସ୍ଆର୍ କଂଗ୍ରେସ ମାତ୍ର .୭୫ ପ୍ରତିଶତ ଖର୍ଚ୍ଚ କରିଛି।
ବିଜେଡି ୨୦୨୦-୨୧ରେ ଘୋଷିତ ଆୟରୁ ୯୦.୪୪ ପ୍ରତିଶତ ଖର୍ଚ୍ଚ କରିନି। ଦଳ ପକ୍ଷରୁ ପ୍ରଶାସନିକ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ଉକ୍ତ ବର୍ଷ କେବଳ ୭.୦୧ କୋଟି ଟଙ୍କା ବ୍ୟୟ ହୋଇଛି। ବିଜେଡି ସମେତ ୫ଟି ଆଞ୍ଚଳିକ ଦଳ ୨୦୨୦-୨୧ରେ ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ୨୫୦.୬୦ କୋଟି ଟଙ୍କାର ଡୋନେସନ୍ ସଂଗ୍ରହ କରିଥିଲେ। ଏହା ମାଧ୍ୟମରେ ବିଜେଡି ୬୭ କୋଟି ଟଙ୍କା ସଂଗ୍ରହ କରିଥିଲା।





