ଆମ ଆଦମୀ ପାର୍ଟିକୁ ଝଟକା; ଦିଲ୍ଲୀ ଏମସିଡି ଷ୍ଟାଣ୍ଡିଂ କମିଟିର ପୁନଃ ନିର୍ବାଚନ ଉପରେ ରହିତାଦେଶ ଜାରି କଲେ ଦିଲ୍ଲୀ ହାଇକୋର୍ଟ

ଭୁବନେଶ୍ଵର,୨୫/୨(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ମହାନଗର ନିଗମ (ଏମସିଡି)ର ଷ୍ଟାଣ୍ଡିଂ କମିଟିରେ ପୁନଃ ନିର୍ବାଚନ କରିବାକୁ ନବ ନିର୍ବାଚିତ ମେୟର ସେଲି ଓବରୟଙ୍କ ନିଷ୍ପତ୍ତି ଉପରେ ଦିଲ୍ଲୀ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ଏହାସହିତ ହାଇକୋର୍ଟ ଉପରାଜ୍ୟପାଳ, ମେୟର ଓ ମହାନଗର ନିଗମକୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି । ବାଲଟ୍ ପେପର, ସିସିଟିଭି ଫୁଟେଜ୍ ଏବଂ ନିର୍ବାଚନ ସମ୍ବନ୍ଧୀୟ ଅନ୍ୟାନ୍ୟ ସାମଗ୍ରୀ ସଂରକ୍ଷିତ ରଖିବାକୁ ଦିଲ୍ଲୀ ହାଇକୋର୍ଟ ମେୟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଏହା ଫଳରେ ଆମ ଆଦମି ପାର୍ଟି (ଆପ୍)କୁ ଏକ ବଡ଼ ଝଟକା ଲାଗିଛି ।

ଦିଲ୍ଲୀ ମହାନଗର ନିଗମ (ଏମସିଡି) ଗୃହରେ ଷ୍ଟାଣ୍ଡିଂ କମିଟି ସଦସ୍ୟ ଚୟନ ବେଳ ହୋଇଥିବା ସଂଘର୍ଷ ପରେ ଆମ୍ ଆଦମୀ ପାର୍ଟି (ଆପ୍) ସୁରକ୍ଷା ପାଇଁ ଦିଲ୍ଲୀ ପୁଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ବିଜେପି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଷ୍ଟାଣ୍ଡିଂ କମିଟିର ସଦସ୍ୟମାନେ ସୋମବାର ପୁଣି ଥରେ ନିର୍ବାଚିତ ହେବାର ଥିଲା, କିନ୍ତୁ ଆଜି ଦିଲ୍ଲୀ ହାଇକୋର୍ଟ ମେୟରଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇଛନ୍ତି ।

ପୁନଃ ନିର୍ବାଚନ ପ୍ରସଙ୍ଗରେ ଦୁଇ ଜଣ ମହିଳା ବିଜେପି କାଉନସିଲର କମଲଜିତ ସେହରାଓ୍ଵତ ଏବଂ ଶିଖା ରାୟ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶୁକ୍ରବାର ଷ୍ଟାଣ୍ଡିଂ କମିଟି ନିର୍ବାଚନରେ ଗୋଟିଏ ଭୋଟ୍ କୁ ଅବୈଧ ଘୋଷଣା କରିବାକୁ ମେୟର ଶୈଲି ଓବରୟଙ୍କ ନିଷ୍ପତ୍ତିକୁ ବିଜେପି କାଉନସିଲରମାନେ ଚ୍ୟାଲେଞ୍ଜ କରିଛନ୍ତି । ଶୁଣାଣି ସମୟରେ ମେୟର ଶୈଲି ଓବରୟ ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାରଦିନ ଦିଲ୍ଲୀ ମହାନଗର ନିଗମ (ଏମସିଡି)ର ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଷ୍ଟାଣ୍ଡିଂ କମିଟିର ୬ ଜଣ ସଦସ୍ୟଙ୍କ ନିର୍ବାଚନର ଭୋଟ୍ ଗଣତି ବେଳେ ପ୍ରବଳ ହଙ୍ଗାମା ହୋଇଥିଲା। ଏପରିକି ଆମ୍ ଆଦମୀ ପାର୍ଟି ଓ ବିଜେପି କାଉନସିଲରଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏମସିଡି ହାଉସରେ ଅପରାହ୍ନରୁ ଆରମ୍ଭ ହୋଇଥିବା ହଙ୍ଗାମା ରାତି ପର୍ଯ୍ୟନ୍ତ ଜାରି ରହିଥିଲା। ଶେଷରେ ରାତି ୯ଟା ପରେ ଦିଲ୍ଲୀ ମହାନଗର ନିଗମର ଷ୍ଟାଣ୍ଡିଂ କମିଟି ନିର୍ବାଚନ ବାତିଲ ହୋଇଥିଲା। ଏହାପରେ ଫେବ୍ରୁଆରି ୨୭ତାରିଖରେ ଗୃହକୁ ପୁଣି ଥରେ ବୈଠକ ବସି ପୁନର୍ବାର ନିର୍ବାଚନ ହେବ ବୋଲି ମେୟର ନିର୍ଦ୍ଦେଶ ଦେଇଥିଲେ ।

Related Posts