ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୪୯ ବର୍ଷ ବୟସରେ ପାକିସ୍ତାନୀ ସାଂସଦ ଆମୀର ଲିୟାକତଙ୍କ ମୃତ୍ୟୁ । ତେବେ ପାକିସ୍ତାନର ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ମଧ୍ୟରେ ଗଣାଯାଉଥିବା ଟେଲିଭିଜନ ଉପସ୍ଥାପକ ତଥା ଇମ୍ରାନ୍ ଖାନଙ୍କ ରାଜନୈତିକ ଦଳ ପାକିସ୍ତାନ ତେହରିକ୍-ଏ-ଇନ୍ସାଫ୍ (ପିଟିଆଇର)ର ସାଂସଦ ଆମିର୍ ଲିୟାକତଙ୍କ ମୃତ୍ୟୁ ଘଟିଛି । ସେ ତାଙ୍କ ଘରେ ଚେତାଶୂନ୍ୟ ହୋଇ ପଡିଯାଇଥିଲେ ଏବଂ ତାଙ୍କୁ ଆଗା ଖାନ ବିଶ୍ୱବିଦ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ତାଙ୍କ ମୃତ୍ୟୁକୁ ନିଶ୍ଚିତ କରି ପିଟିଆଇ ନେତା ଜମାଲ ସିଦ୍ଦିକି କହିଛନ୍ତି ଯେ ଆମୀର ଲିୟାକତଙ୍କ ଜଣେ କର୍ମଚାରୀ ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି। ବୁଧବାର ରାତିରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ହେଲେ ସେ ଡାକ୍ତରଖାନା ଯିବାକୁ ମନା କରିଦେଇଥିଲେ। ଗୁରୁବାର ସକାଳେ ସେ ଜୋରରେ ପାଟି କରିବାରୁ ତାଙ୍କ ଗୃହ ସହାୟକ କବାଟ ଭାଙ୍ଗି ତାଙ୍କ ରୁମକୁ ଯାଇଥିଲେ। ଭିତରକୁ ଯିବା ପରେ ସେ ଅଚେତ ଥିବା ଦେଖି ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିିଥିଲେ।





