ଆପ-ବିଜେପି କାଉନସିଲର ହାତାହାତି; ସ୍ଥଗିତ ରହିଲା ଦିଲ୍ଲୀ ଏମ୍‌ସିଡି ମେୟର ନିର୍ବାଚନ

ଭୁବନେଶ୍ୱର,୬/୧(ସତ୍ୟପାଠ ବ୍ୟୁରୋ): ଅଜିଥିଲ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ (ଏମ୍‌ସିଡି)ର ମେୟର ନିର୍ବାଚନ। ତେବେ ନିର୍ବାଚନ ପୂର୍ବରୁ ଉଭୟ ଆମ ଆଦମୀ ପାର୍ଟି ଓ ଭାରତୀୟ ଜନତା ପାର୍ଟିର କାଉନସିଲର ମାନେ ମୁହାଁମୁହିଁ ହେବାରୁ ଦିଲ୍ଲୀ ମେୟର ନିର୍ବାଚନ ସ୍ଥଗିତ ରହିଛି। ଦୀର୍ଘ ୧୦ ବର୍ଷ ପରେ ଆଜି ଦିଲ୍ଲୀରେ ସିଙ୍ଗଲ ମେୟର ଚୟନ ହେବାର ଥିଲା। ଦିଲ୍ଲୀ ଏମସିଡି ନିର୍ବାଚନରେ ଆପ ୧୩୪ ଟି ଆସନ ଜିତି ସଂଖ୍ୟା ଗରିଷ୍ଠ ହାସଲ କରିଛି। ତେବେ ଆପ୍ ପକ୍ଷରୁ ମେୟର ପଦବୀ ପାଇଁ ଦୁଇ ଜଣ ପ୍ରାର୍ଥୀ ଶେଲୀ ଓବରୟ ଓ ଆସୁ ଠାକୁର ଲଢ଼ୁଥିବାବେଳେ ବିଜେପି ପକ୍ଷରୁ ରେଖା ଗୁପ୍ତା ପ୍ରାର୍ଥୀ ହୋଇଥିଲେ।

ସେହିପରି ଡେପୁଟି ମେୟର ପାଇଁ ଆପ୍‌ ପକ୍ଷରୁ ଆଲେ ମହମ୍ମଦ ଇକବାଲ, ଜଲାଜ କୁମାର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେପି ପକ୍ଷରୁ କମଲ ବାଗ୍ରୀ ନାମାଙ୍କନ ଭରିଛନ୍ତି। ଅନ୍ୟପଟେ ଏହି ନିର୍ବାଚନରେ ବିଜେପି କାଉନସିଲର ସତ୍ୟ ଶର୍ମାଙ୍କୁ ପ୍ରିଜାଡିଂ ଅଫିସର ଭାବେ ନିଯୁକ୍ତି କରାଯିବାକୁ ନେଇ ବିବାଦ ଉପୁଜିଥିଲା । ଉଭୟେ ଉଭୟଙ୍କୁ ଟାର୍ଗେଟ କରି ବିଭିନ୍ନ ସ୍ଲୋଗାନ ଦେବାରୁ ବିଜେପି ଏବଂ ଆପ କାଉନସିଲରଙ୍କ ମଧ୍ୟରେ ଠେଲାଠେଲି ପରିସ୍ଥିତି ଉପୁଜିଥିଲା । ଏପରିକି ନିର୍ବାଚନ ସେଣ୍ଟରରେ ଅନୁଷ୍ଠିତ ବୈଠକ ବେଳେ ଆପ୍‌ ଏବଂ ଭାଜପା କର୍ମୀ ହାତାହାତି ହୋଇଥିଲେ।

ଏଥିରେ ଜଣେ ଏଏପି କାଉନସିଲର ଆହତ ହୋଇଛନ୍ତି। ମୁଖ୍ୟତଃ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନାଙ୍କ ଦ୍ୱାରା ସତ୍ୟ ଶର୍ମାଙ୍କୁ ଅସ୍ଥାୟୀ ବାଚସ୍ପତି ନିଯୁକ୍ତକୁ ବିରୋଧ କରି ଆପ ସଦସ୍ୟ ହୋହଲ୍ଲା କରିଛନ୍ତି । ଆଜି ମେୟର ନିର୍ବାଚନ ପୂର୍ବରୁ କାଉନସିଲରମାନେ ଅସ୍ଥାୟୀ ବାଚସ୍ପତିଙ୍କ ଦ୍ୱାରା ଶପଥ ନେବାର ଥିଲା। ପୂର୍ବରୁ ଉପରାଜ୍ୟପାଳ ଭି.କେ. ସାକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ବିବାଦ ତୀବ୍ର ହୋଇଛି। ଉପରାଜ୍ୟପାଳ ମେୟର ନିର୍ବାଚନ ପରିଚାଳନା ଲାଗି ଗୁରୁବାର ବିଜେପି କାଉନସିଲର ସତ୍ୟ ଶର୍ମାଙ୍କୁ ପ୍ରିଜାଇଡିଂ ଅଫିସର ବା ଅସ୍ଥାୟୀ ବାଚସ୍ପତି ନିଯୁକ୍ତ କରିଛନ୍ତି। ଏହାକୁ ନେଇ ଆପ ପକ୍ଷରୁ ବିରୋଧ କରାଯାଇଥିଲା।

Related Posts