ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆମ ଆଦ୍ମୀ ପାର୍ଟି (ଆପ୍) ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏହି କ୍ରମରେ ଆପ ପ୍ରବକ୍ତା ସୌରଭ ଭାରଦ୍ବାଜ ଓ ବିଜେପି ପ୍ରବକ୍ତା ଗୌରବ ଭାଟିଆଙ୍କ ମଧ୍ୟରେ ଟିଭି ବିତର୍କରେ ଏକ ସର୍ତ୍ତ ରଖାଯାଇଥିଲା। ବିଜେପି ପ୍ରବକ୍ତା ଆପ୍ର ଘୋଷଣାପତ୍ର ଅନୁସାରେ ଦିଲ୍ଲୀରେ ୫୦୦ ନୂଆ ସ୍କୁଲ ଦେଖାଇବାକୁ ଚ୍ୟାଲେଞ୍ଜ କରିଥିଲେ। ଏହି ଚ୍ୟାଲେଞ୍ଜକୁ ସୌରଭ ଭାରଦ୍ବାଜ ମଧ୍ୟ ସ୍ବୀକାର କରିନେଇଥିଲେ। ତେବେ ଚ୍ୟାଲେଞ୍ଜ ଅନୁସାରେ ଦୁହେଁ ଗ୍ରାଉଣ୍ଡ ଜିରୋରେ ମଧ୍ୟ ପହଞ୍ଚିଥିଲେ, କିନ୍ତୁ ଏହାପରେ ଆରମ୍ଭ ହୋଇଥିଲା ଜୋରଦାର୍ ହଙ୍ଗାମା। ଚ୍ୟାଲେଞ୍ଜରେ କିଏ ଜିତିଲା ତାହାକୁ ନେଇ ଉଭୟ ପକ୍ଷ ଦାବି କରୁଛନ୍ତି। ଭିଡିଓ ଜାରି କରି ଉଭୟ ଉଭୟଙ୍କୁ ପରାଜିତ ବୋଲି କହୁଛନ୍ତି।
ସୂଚନାଯୋଗ୍ୟ ଯେ, ଗୌରବ ଭାଟିଆ ଓ ସୌରଭ ଭାରଦ୍ବାଜଙ୍କ ମଧ୍ୟରେ ମଙ୍ଗଳବାର ଏକ ଟିଭି ଚ୍ୟାନେଲରେ ଦିଲ୍ଲୀ ଶିକ୍ଷା ଦୁର୍ନୀତି ଉପରେ ବିତର୍କ ହୋଇଥିଲା। ଗୌରବ ଭାଟିଆ କହିଥିଲେ ଯେ, ଆପ୍ କହିଥିଲା ଦିଲ୍ଲୀରେ ୫୦୦ ନୂଆ ସ୍କୁଲ ତିଆରି କରିବ। କାଲି ଦିନ ୧୧ଟାରେ ଯୋଉଠି କହିବେ ସେଠି ପହଞ୍ଚିବି। କେଉଁ ଜାଗାରେ ନୂଆ ସ୍କୁଲ ହୋଇଛି ଦେଖିବା, ତା’ପରେ ଏହି ମଞ୍ଚ ଉପରେ ଆସି ରିପୋର୍ଟ କରିବା। ଭାରଦ୍ବାଜ ଏହି ଚ୍ୟାଲେଞ୍ଜକୁ ସ୍ବୀକାର କରି କୌଟଲ୍ୟା ସ୍କୁଲ ଚିରାଗ ଏନ୍କ୍ଲେଭ ଗ୍ରେଟର କୈଳାସ-୧କୁ ଆସିବାକୁ କହିଥିଲେ।
କଥିତ ସ୍ଥାନରେ ଦିଆଯାଇଥିବା ସମୟରେ ଉଭୟେ ପହଞ୍ଚିଥିଲେ। କିନ୍ତୁ ତା’ପରେ ଉଭୟଙ୍କ ଭିତରେ ଢେର ଯୁକ୍ତିତର୍କ ହୋଇଥିଲା। ହଙ୍ଗାମା ସହ ସମର୍ଥକମାନଙ୍କର ନାରାବାଜି ମଧ୍ୟ ଚାଲିଥିଲା। ଉଭୟ ପକ୍ଷରୁ ଭିଡିଓ ତିଆରି କରାଯାଉଥିଲା। ଗୌରବ ଓ ସୌରଭ ଦୁଇଟି ସ୍କୁଲକୁ ଗଲେ। ଏହାପରେ ବିଜେପି ପ୍ରବକ୍ତା କହିଥିଲେ କି ସୌରଭ ଭାରଦ୍ବାଜ ୫୦୦ ସ୍କୁଲର ତାଲିକା ଦେଇପାରିଲେନି। ଆପ୍ ବିଧାୟକ କହିଥିଲେ କି ଗୌରବ ଭାଟିଆ ପଳାଇଗଲେ। ଗୌରବ ଭାଟିଆ ଏହାକୁ ନେଇ କହିଛନ୍ତି ଯେ ଦୁଇଟି ସ୍କୁଲ ଭିତରୁ ଗୋଟିଏ ସ୍କୁଲ ଥିଲା ପୁରୁଣା ଏବଂ ଦ୍ବିତୀୟଟି ଏବେ ତିଆରି ଚାଲିଛି। ୫୦୦ ସ୍କୁଲର ତାଲିକା ବାରମ୍ବାର ମାଗିଥିଲେ ମଧ୍ୟ ସୌରଭ ଭାରଦ୍ବାଜ ତାହା ଦେଇପାରି ନ ଥିଲେ। ତେବେ ଟିଭି ବିତର୍କରୁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିବା ଏହି ପ୍ରବକ୍ତା ଲଢେଇ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।





