ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଯୁଦ୍ଧରେ ପ୍ରାୟ ୧୩ ,୫୦୦ ରୁଷୀୟ ସୈନିକ ହାରିଲେଣୀ ଜୀବନ । ଆଜକୁ ୨୦ ଦିନ ବିତିଗଲାଣି ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ । ନିଜର ସର୍ତ୍ତ ପୂରଣ ହୋଇନଥିବାରୁ ଗୋଟେ ପରେ ଗୋଟେ ସହରକୁ ଧସେଇ ପସିଚାଲିଛନ୍ତି ରୁଷୀୟ ସେନା। ଏହା ମଧ୍ୟରେ ୟୁକ୍ରେନର ସଶସ୍ତ୍ର ବାହିନୀ ଦାବି କରିଛି ଯେ, ରୁଷ ସହିତ ହେଉଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଏପର୍ୟ୍ୟନ୍ତ ୧୩,୫୦୦ ରୁଷୀୟ ସୈନିକ ନିହତ ହୋଇଛନ୍ତି। ୟୁକ୍ରେନ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ରୁଷର ୪ଟି ହେଲିକପ୍ଟର, ଗୋଟିଏ ବିମାନ ଏବଂ ଗୋଟିଏ ଯୁଦ୍ଧ ବିମାନକୁ ତଳକୁ ଖସାଇ ଦିଆଯାଇଛି। ୟୁକ୍ରେନର ବୈଦେଶିକ ମନ୍ତ୍ରାଳୟ ଅନୁଯାୟୀ, ଏପର୍ୟ୍ୟନ୍ତ ଏହା ସମୁଦାୟ ୮୧ ରୁଷିଆ ବିମାନ ଏବଂ ୯୫ ହେଲିକପ୍ଟର ତଳକୁ ଖସାଇଛନ୍ତି ୟୁକ୍ରେନ ସେନା।
ଏହା ବ୍ୟତୀତ ରୁଷର ସମସ୍ତ ଅସ୍ତ୍ର ମଧ୍ୟ ଆକ୍ରମଣ ଦ୍ୱାରା ନଷ୍ଟ ହୋଇଯାଇଛି। ରୁଷର ୪୦୪ଟି ଟ୍ୟାଙ୍କ ଧ୍ବଂସ ହେବା ସହ ୬୪୦ଟି ଗାଡ଼ି, ୧୨୭୯ଟି ଅସ୍ତ୍ରଶସ୍ତ୍ର ସଜ୍ଜିତ ଗାଡ଼ିକୁ ନଷ୍ଟ କରିଛନ୍ତି ୟୁକ୍ରେନ ସେନା। ସେପଟେ ୟୁକ୍ରେନ ରାଜଧାନୀ କିବର ମେୟର ମଙ୍ଗଳବାର ବିଳମ୍ବିତ ରାତିରୁ ୩୬ଘଣ୍ଟିଆ କର୍ଫ୍ୟୁ ଘୋଷଣା କରିଛନ୍ତି। ଦି କିବ୍ ଇଣ୍ଡିପେଣ୍ଡେଣ୍ଟ ଅନୁଯାୟୀ, ଏହି ସମୟ ମଧ୍ୟରେ ବାସିନ୍ଦାଙ୍କୁ କେବଳ ବୋମା ଆଶ୍ରୟସ୍ଥଳକୁ ଯିବାକୁ ଅନୁମତି ଦିଆଯିବ। ମାର୍ଚ୍ଚ ୧୭ ପର୍ୟ୍ୟନ୍ତ ଏହି କର୍ଫ୍ୟୁ ଜାରି ରହିବ। ଏ ଖବର ସାମ୍ନାକୁ ଆସିବା ପରେ ପୁଣିଥରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।





