ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ହାଇକୋର୍ଟରୁ ପତ୍ନୀ ବିଦ୍ୟାଭାରତୀଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି। ଗିରଫ ପାଇଁ ତଳକୋର୍ଟରେ ଜାରି ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଉପରେ ରୋକ୍ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ଏହାସହିତ କଠୋର କାର୍ଯ୍ୟାନୁଷ୍ଠାନ ନନେବାକୁ ବି ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। ଆସନ୍ତା ଜୁଲାଇ ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣ ହେବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ପାରଳାଖେମୁଣ୍ଡି ଏସଡିଜେଏମଙ୍କୁ ଚ୍ୟାଲେଞ୍ଜ କରି ବିଦ୍ୟାଭରତୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ଵରୁ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିଥିଲା। ବିଦ୍ୟାଭରତୀ, ସଂଗ୍ରାମ କେଶରୀ ବେହେରା ଓ ପତ୍ନୀ ମନ୍ମଥ କୁମ୍ଭଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି କରିଛନ୍ତି ପାରଳାଖେମୁଣ୍ଡି ଏସଡିଜେମ କୋର୍ଟ।
ଅନ୍ୟପଟେ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି ପରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ପତ୍ତା ପାଉନଥିଲା ପୁଲିସ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଆଇଆଇସି ବିକ୍ରମ କେଶରୀ ଜେନାଙ୍କ କହିବା ଅନୁଯାୟୀ, ପାରଳାଖେମୁଣ୍ଡି ଏସ୍ଡିଜେଏମ୍ଙ୍କ ସମନ୍ ପରେ ପୁଲିସ ଟିମ୍ ୨ ଦିନ ପୂର୍ବେ ବିଦ୍ୟାଭାରତୀଙ୍କ କପ୍ତିପଦାସ୍ଥିତ ପୈତୃକ ବାସଭବନରେ ଚଢ଼ଉ କରିଥିଲା। ହେଲେ ତାଙ୍କର ପତ୍ତା ମିଳିନଥିଲା। ତାଙ୍କ ବାପା, ମାଙ୍କୁ ପଚରାଉଚରା କରାଯାଇଥିଲା। ସେ ଯେଉଁସବୁ ସ୍ଥାନରେ ଥାଇପାରନ୍ତି, ସେଠାରେ ଚଢ଼ଉ ଜାରି ରହିଥିଲା।
ଏପଟେ କପ୍ତିପଦା ପୁଲିସର ଅନୁରୋଧ କ୍ରମେ ବିଦ୍ୟାଭାରତୀଙ୍କ ସନ୍ଧାନରେ ଲାଗିଥିଲା ବୈଶିଙ୍ଗା ଥାନା ପୁଲିସ। ବିଦ୍ୟାଭାରତୀ ବର୍ତ୍ତମାନ ବୈଶିଙ୍ଗା ଥାନା ନଡ଼ପୁର-ନୂଆଗାଁରେ ପ୍ରାଣୀଧନ ନିରୀକ୍ଷକ (ଏଲ୍ଆଇ) ଭାବେ କାର୍ଯ୍ୟରତ ଅଛନ୍ତି। ସେଠାରେ ଥାଇପାରନ୍ତି ବୋଲି ସନ୍ଦେହ କରି ଆଜି ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା ବୈଶିଙ୍ଗା ପୁଲିସ। ତେବେ ସେ ଜୁନ୍ ୨୮ରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଛୁଟିରେ ଯାଇଥିବା ପୁଲିସକୁ ସୂଚନା ଦେଇଥିଲେ ତାଙ୍କ ଉପରିସ୍ଥ ଅଧିକାରୀ।
ସୂଚନାଯୋଗ୍ୟ, ଏସିଏଫ୍ ସୌମ୍ୟରଞ୍ଜନ ପାରଳାଖେମୁଣ୍ଡିରେ କାର୍ଯ୍ୟରତ ଥିବାବେଳେ ୨୦୨୧ ଜୁଲାଇ ୧୧ ତାରିଖ ରାତିରେ ସରକାରୀ ବାସଭବନରେ ସନ୍ଦେହଜନକ ଭାବେ ନିଆଁରେ ପୋଡ଼ି ଗୁରୁତର ଆହତ ହୋଇଥିଲେ। ୨ ଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ମଧ୍ୟ ଦିଆଯାଇଥିଲା। କ୍ରାଇମବ୍ରାଞ୍ଚ ଏହାକୁ ଏକ ଦୁର୍ଘଟଣା ଦର୍ଶାଇ ଫାଇଲ ବନ୍ଦ କରିବାରୁ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ତତ୍କାଳୀନ ଡିଏଫ୍ଓ ସଂଗ୍ରାମ ବେହେରା, ପତ୍ନୀ ବିଦ୍ୟାଭାରତୀ ଓ ରୋଷେୟାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ପାରଳାଖେମୁଣ୍ଡି ଏସ୍ଡିଜେଏମଙ୍କ କୋର୍ଟରେରେ ପିଟିସନ୍ ଦାଏର କରିଥିଲେ।





