ଆଦାନି ଗ୍ରୁପ୍-ହିଣ୍ଡେନବର୍ଗ ମାମଲା: ଯାଞ୍ଚ ପାଇଁ ସୁପ୍ରିମକୋର୍ଟଙ୍କୁ ଆଉ ୧୫ ଦିନ ସମୟ ମାଗିଲା ସେବି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଦାନି ଗ୍ରୁପ୍ ଓ ହିଣ୍ଡେନବର୍ଗ ମାମଲାର ଯାଞ୍ଚ ପାଇଁ ସୁପ୍ରିମକୋର୍ଟଙ୍କୁ ଆଉ ୧୫ ଦିନ ସମୟ ମାଗିଛି ସେବି । ସୁପ୍ରିମକୋର୍ଟରେ ସେବି ପକ୍ଷରୁ କୁହାଯାଇଛି ଯେ, କିଛି ଦଲାଲଙ୍କ ଯାଞ୍ଚ ପାଇଁ ସମୟ ଦରକାର । ଯାଞ୍ଚ ପରେ ସମ୍ପୂର୍ଣ୍ଣ ରିପୋର୍ଟ ଦିଆଯିବ ବୋଲି ସେବି କହିଛି ।

ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ତଥ୍ୟ ଦେଇ ସେବି କହିଛି, ଯାଞ୍ଚ ସଠିକ୍ ଦିଗରେ ଚାଲିଛି ।ଆଦାନୀ ଗ୍ରୁପ୍ ଉପରେ ଆସିଥିବା ଅଭିଯୋଗର ଯାଞ୍ଚ ପାଇଁ ବିଦେଶୀ ସଂସ୍ଥାଗୁଡ଼ିକ ଠାରୁ ତଥ୍ୟ ସଂଗ୍ରହ କରାଯାଉଛି । ଅଭିଯୋଗର ତଦନ୍ତ ଦ୍ରୁତଗତିରେ କରାଯାଉଛି । ସମସ୍ତ ତଥ୍ୟର ତର୍ଜମା ପରେ ରିପୋର୍ଟ ଦିଆଯିବ ।

ତେବେ ଗୌତମ ଆଦାନୀଙ୍କ କମ୍ପାନୀ ଉପରେ ଆସିଥିବା ୨୪ଟି ଅଭିଯୋଗ ମଧ୍ୟରୁ ୧୭ଟିର ଯାଞ୍ଚ ସରିଛି । ସେବିର ସୂଚନା ଅନୁସାରେ, ବାକି ୭ଟି ମାମଲା ମଧ୍ୟରୁ ୪ଟିର ଯାଞ୍ଚ ପ୍ରାୟ ସରିଛି । ଏସବୁର ତଦନ୍ତ ରିପୋର୍ଟ ଅଧିକାରୀଙ୍କ ଅନୁମୋଦନ ଓ ସମୀକ୍ଷାରେ ରହିଛି । ଅନ୍ୟ ୨ଟି ମାମଲାରେ ସେବିର ଯାଞ୍ଚ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

୨୦୨୩ ଜାନୁଆରୀ ୨୪ ତାରିଖରେ ଆମେରିକାର ରିସର୍ଚ୍ଚ କମ୍ପାନୀ ହିଣ୍ଡେନବର୍ଗ, ଆଦାନୀ ଗ୍ରୁପ୍ ଉପରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲା । ଯେଉଁଥିରେ ଆଦାନୀ ଗ୍ରୁପ୍ ଉପରେ ଅନେକ ବଡ଼ ଅଭିଯୋଗ ଆସିଥିଲା । ସେୟାରରେ ହେରଫେର୍ ଅଭିଯୋଗ ହୋଇଥିଲା । ଯାହା ପରେ ଆଦାନୀ ଗ୍ରୁପର ମାର୍କେଟ୍ କ୍ୟାପ୍ ୧୦୦ ଅରବ ଡଲାରରୁ ଅଧିକ ଖସିଥିଲା । ଏଥିସହ ଗୌତମ ଆଦାନୀ ଦୁନିଆର ଧନୀ ତାଲିକାର ଦ୍ୱିତୀୟରୁ ୩୬ ତମ ସ୍ଥାନକୁ ଖସି ଯାଇଥିଲେ ।

Related Posts