ତୁରନ୍ତ ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ଫେରାଇବାକୁ ଦାବି, ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଲେ ଅଧୀର ରଞ୍ଜନ ଚୌଧୁରୀ

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ମୋଦି ସାଙ୍ଗିଆ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟ ରୁ ଆଶ୍ୱସ୍ତି ମିଳିବା ପରେ ଏବେ ତାଙ୍କର ସଂସଦର ସଦସ୍ୟତା ଫେରାଇବାକୁ ଦାବି ହୋଇଛି। ଲୋକସଭାରେ କଂଗ୍ରେସର ସଂସଦୀୟ ଦଳ ନେତା ଅଧୀର ରଂଜନ ଚୌଧୁରୀ ଶନିବାର ଦିନ କହିଛନ୍ତି, ସେ ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ଫେରାଇବା ସଂକ୍ରାନ୍ତ ସମସ୍ତ କାଗଜପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ରାହୁଲଙ୍କ ସଦସ୍ୟତା ତୁରନ୍ତ ଫେରାଇବା ଉଚିତ।

ଅଧୀର ରଂଜନ ଚୌଧୁରୀ କହିଛନ୍ତି, ଗୁଜରାଟ କୋର୍ଟ ରାହୁଲଙ୍କୁ ଦୋଷୀସାବ୍ୟସ୍ତ କରିବାପରେ ବାଚସ୍ପତି ଯେମିତି ତୁରନ୍ତ ରାହୁଲଙ୍କ ସଦସ୍ୟତା ରଦ୍ଦ କରିଥିଲେ ଠିକ୍‌ ସେମିତି ଭା‌ବେ ତାଙ୍କ ସଦସ୍ୟତା ଫେରାଇ ଉପରେ ନିଷ୍ପତ୍ତି ନିଅନ୍ତୁ।ଚୌଧୁରୀ କହିଛନ୍ତି, ‌ସେ ଶନିବାର ବାଚସ୍ପତିଙ୍କ ସହ ଉକ୍ତ ପ୍ରସଙ୍ଗରେ କଥା ହୋଇଛନ୍ତି। ଛୁଟିଦିନରେ ସେ‌କ୍ରେଟାରି ଜେନେରାଲଙ୍କ ଅଫିସ ବନ୍ଦ ଥିବାରୁ ସେ ବାଚସ୍ପତିଙ୍କ ଅଫିସକୁ ସମସ୍ତ କାଗଜପତ୍ର ପଠାଇଥିବା କହିଛନ୍ତି।

କଂଗ୍ରେସ ସାଧାରଣ ସଚିବ ଜୟରାମ ରମେଶ କହିଛନ୍ତି, ସୁରଟ କୋର୍ଟ ରାହୁଲଙ୍କୁ ମାନହାନି ମାମଲାରେ ଦୋଷୀସାବ୍ୟସ୍ତ କରିବାର ୨୬ ଘଣ୍ଟା ପରେ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ନେଇ ଏକ ବିଜ୍ଞପ୍ତି ଜାରି ହୋଇଥିଲା। ତେବେ ସୁପ୍ରିମକୋର୍ଟ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବାର ୨୬ ଘଣ୍ଟା ବିତିଯାଇଛି। ରାହୁଲ ତାଙ୍କ ସଦସ୍ୟତା କାହିଁକି ଫେରିପାଇନାହାନ୍ତି ବୋଲି ରମେଶ ଏକ ଟ୍ବିଟ୍‌ କରି ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ କ’ଣ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ରାହୁଲଙ୍କ ଅଂଶଗ୍ରହଣକୁ ଭୟ କରୁଛନ୍ତି କି ? ବୋଲି ରମେଶ ପ୍ରଶ୍ନ କରିଛନ୍ତି।

Related Posts