୧୮ ଦିନ ପରେ ଖୋଲିଲା ୟନିଟ୍‌-୨ ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ ଭୁବନେଶ୍ବର ୟନିଟ୍‌-୨ ସ୍ଥିତ ମାର୍କେଟ ବିଲ୍ଡିଂ ବିବାଦ ୧୮ ଦିନ ପରେ ସମାଧାନ ହୋଇଛି। ରାଜଧାନୀ ଭୁବନେଶ୍ବରର ଲୋକପ୍ରିୟ ମାର୍କେଟ ବିଲ୍ଡିଂ ଗୁରୁବାର ଦିନ ଖୋଲିଛି। ଏହି ମାର୍କେଟ ଖୋଲିବା ପରେ ଉଭୟ ବ୍ୟବସାୟୀ ଓ ଗ୍ରାହକମାନଙ୍କ ମଧ୍ୟରେ ଖୁସି ଦେଖାଦେଇଛି। ମାର୍କେଟ ବିଲଡିଂ ଖୋଲିଥିବା ନେଇ ସେଣ୍ଟ୍ରାଲ ମାର୍କେଟ୍ ଆସୋସିଏସନ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛି। ସାମ୍ବାଦିକ ସମ୍ମିଳନୀରେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର ସଭାପତି ପ୍ରଦ୍ୟୁମ୍ନ ଜେନା କହିଛନ୍ତି, ୧୮ ଦିନ ମାର୍କେଟ ବିଲଡିଂ ବନ୍ଦ ରହିବା ଦୁଃଖଦାୟକ। ଏହି ବନ୍ଦ ଅବଧି ମଧ୍ୟରେ ମାର୍କେଟ ବିଲଡିଂ ବ୍ୟବସାୟୀଙ୍କର ୧୦୦ କୋଟି ଟଙ୍କା କ୍ଷତି ହୋଇଛି ବୋଲି ଆସୋସିଏସନ ଆକଳନ କରିଛି।

ଅନ୍ୟପଟରେ ଉଠା ଦୋକାନୀଙ୍କ ଦୌରାତ୍ମ୍ୟ ଯୋଗୁଁ ବାଧ୍ୟ ହୋଇ ଦୋକାନ ବନ୍ଦ କରାଯାଇଥିବା କଥା ଆସୋସିଏସନ କହିଛି। ଏବେ ମାର୍କେଟ ବିଲଡିଂ ଖୋଲିବା ପରେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ତରଫରୁ କିଛି ନିୟମ ଜାରି କରାଯାଇଛି। ଏହି ନିୟମ ମୁତାବକ ଏବେ ଉଭୟ ଗେଟ୍ ନିକଟରେ କେହି ଜବରଦଖଲ କରି ଦୋକାନ ଖୋଲିପାରିବେ ନାହିଁ। ଏନେଇ ମାର୍କେଟ୍ ବିଲଡିଂ ପକ୍ଷରୁ ଏକ କୋର କମିଟି ଗଠନ କରାଯିବ ବୋଲି କୁହାଯାଇଛି । ସେପଟେ ଦୀର୍ଘ ଦିନ ବନ୍ଦ ରହି ମାର୍କେଟ ବିଲ୍ଡିଂ ଖୋଲିବା ପରେ ଗୁରୁବାର ସନ୍ଧ୍ୟାରେ ଗ୍ରାହକମାନଙ୍କର ଭିଡ଼ ପରିଲକ୍ଷିତ ହୋଇଛି।

Related Posts