‘୨୪ ବର୍ଷ ପୁରିଲେ ବିଜେଡି ସରକାର ବଙ୍ଗୋପ ସାଗରକୁ ଯିବ’; ଜାଲ ସାର୍ଟିଫିକେଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ମନମୋହନ

ଭୁବନେଶ୍ୱର,୧୧/୪(ସତ୍ୟପାଠ ବ୍ୟୁରୋ): ବିଜେଡି ସରକାର ବଙ୍ଗୋପ ସାଗରକୁ ଯିବ। କିଛି ଏଭଳି କହି ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ରାଜ୍ୟରେ ପ୍ରତିଦିନ ସାମ୍ନାକୁ ଆସୁଥିବା ନକଲି ସାର୍ଟିଫିକେଟ ମାମଲାକୁ ନେଇ ସେ କହିଛନ୍ତି, ନକଲି ସାର୍ଟିଫିକେଟ ଘଟଣାର ସିବିଆଇ ତଦନ୍ତ ହେଉ। ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ। ଦୋଷୀକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ। ଏଠି କିଛି ଲୋକ ପିଲାଙ୍କ ଜୀବନ ଓ ଓଡ଼ିଶାର ଭାଗ୍ୟ ସହ ଖେଳୁଛନ୍ତି, ଆଉ ସରକାର ଅନ୍ଧ, ମୂକ ଏବଂ ବଧିର ହୋଇ ବସିଛନ୍ତି।

ସରକାର ଯୁବକଙ୍କ ଜୀବନସହ ଖେଳୁଛନ୍ତି ତାହା ବନ୍ଦ ହେବା ଆବଶ୍ୟକ। ଯେଉଁଠି ସାଧାରଣ ଲୋକ ଓ ପିଲାଙ୍କ ଭବିଷ୍ୟତ ସହିତ ଖେଳାଯାଉଛି, ସେଠାରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ସିବିଆଇ ତଦନ୍ତ ହେବା ଦରକାର। ମନ୍ତ୍ରୀ, ତନ୍ତ୍ରୀ ଯିଏ ଥାନ୍ତୁ, ଆଇନର ଉର୍ଦ୍ଧ୍ବରେ କେହି ନୁହେଁ, କାର୍ଯ୍ୟାନୁଷ୍ଠାନ ସମସ୍ତଙ୍କ ବିରୁଦ୍ଧରେ ହେବା ଉଚିତ ବୋଲି ସେ କହିଛନ୍ତି।

ବିଜେପି ରାଜ୍ୟ ସଭାପତି ଆହୁରି ପ୍ରଶ୍ନ କରିଛନ୍ତି, ନକଲି ସାର୍ଟିଫିକେଟ ମାମଲାରେ ବିଜେଡି ନେତାଙ୍କ ଯଦି ସମ୍ପୃକ୍ତି ନ ଥାନ୍ତା, ଏତେ ବର୍ଷ ଧରି କେମିତି ନକଲି ସାର୍ଟିଫିକେଟ କାରବାର ଚାଲିଥାନ୍ତା। ଆଉ ସରକାର ଜାଣିଲେନି କାହିଁକି ? ମୁଁ ଯଦି ସରକାର ତେବେ ମୁଁ କଣ ଜାଣିପାରିବିନି। ରାଜ୍ୟରେ ଗୁଇନ୍ଦା କଣ ନାହିଁ, ମୋର ନେଟୱାର୍କ ନାହିଁ, ୨୫ ଟି ଏଜେନ୍ସି ଥାଉଥାଉ ସରକାର ଏକଥା ଜାଣିପାରିଲେନି କେମିତି? ବିଜେଡି କଣ ଭଗବାନ ? ଭଗବାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିପାରିବନି, ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ହେବାରେ କଣ ଅସୁବିଧା ଅଛି କି ? ଏହାସହିତ ପଶ୍ଚିମବଙ୍ଗରେ ସିପିଆଇଏମ ସରକାରର ଉଦାହରଣ ଦେଇ ସେ କହିଛନ୍ତି, ସିପିଏମର ଚେର ବେଙ୍ଗଲଠୁ ଅଧିକ କେଉଁଠି ଲମ୍ବି ନଥିଲା। ସେ ୩୪ ବର୍ଷ ଶାସନ କରିବା ପରେ ବଙ୍ଗୋସାଗରକୁ ପଳେଇଲା। ଏମାନେ ୨୪ ବର୍ଷ ପରେ ବଙ୍ଗୋପସାଗରକୁ ଯିବେ ବୋଲି ମନମୋହନ କହିଛନ୍ତି।

Related Posts