ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉତ୍ତରପ୍ରଦେଶର ଗାଜିଆବାଦରେ ୨୦୧୮ରେ ହୋଇଥିବା ଏକ ହତ୍ୟାକାଣ୍ଡର ଖୁଲାସା କରିଛି ପୋଲିସ । ପଡ଼ୋଶୀ ପ୍ରେମିକଙ୍କ ସହ ମିଶି ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ଏବଂ ପରେ ଉଭୟେ ମୃତଦେହକୁ ପ୍ରାୟ ୭ ଫୁଟ୍ ଗଭୀର ଗାତରେ ପୋତିଦେଇଥିଲେ ବୋଲି ଜଣାପଡ଼ିଛି । ଏହି ଘଟଣା ଜଣାପଡିବା ପରେ ହତ୍ୟାକାଣ୍ଡର ୪ବର୍ଷ ପରେ ଉଭୟଙ୍କୁ ଗିରଫ କରାଯାଇଛି ।
ପୋଲିସ ସୂଚନା ଅନୁସାରେ, ସବିତା ନାମ୍ନୀ ମହିଳା ଜଣକ ତାଙ୍କ ପଡ଼ୋଶୀ ଅରୁଣଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । ଏକଥା ସବିତାଙ୍କ ସ୍ୱାମୀ ଚନ୍ଦ୍ରବୀର ଜାଣିଯାଇଥିଲେ । ତେଣୁ ଚନ୍ଦ୍ରବୀରଙ୍କୁ ରାସ୍ତାରୁ ହଟାଇବା ପାଇଁ ଉଭୟେ ଷଡ଼ଯନ୍ତ୍ର କରିଥିଲେ । ପ୍ରଥମେ ସବିତା ସ୍ୱାମୀଙ୍କୁ ଗୁଳି କରିଥିଲେ । ପରେ ଅରୁଣ ଏକ ବାଲ୍ଟିରେ ଚନ୍ଦ୍ରବୀରଙ୍କଠାରୁ ବୋହୁଥିବା ରକ୍ତ ସଂଗ୍ରହ କରି ତାକୁ ନଷ୍ଟ କରିବା ସହ ପରିଚୟ ଜଣା ନ ପଡ଼ିବା ପାଇଁ ତାଙ୍କ ହାତ ମଧ୍ୟ କାଟିଦେଇଥିଲେ। ସବିତା ଓ ଅରୁଣ ଶବକୁ ଏକ କେମିକାଲ ଫ୍ୟାକ୍ଟ୍ରି ନିକଟରେ ପୋତିଦେଇଥିଲେ । ସେପଟେ ଚନ୍ଦ୍ରବୀରଙ୍କ ପତ୍ତା ନ ପାଇ ତାଙ୍କ ଭାଇ ୨୦୧୮ ଅକ୍ଟୋବରରେ ନିଖୋଜ ଏତଲା ଦେଇଥିଲେ । ଏପରିକି ଚନ୍ଦ୍ରବୀରଙ୍କ ଭାଇ ତାଙ୍କୁ ହତ୍ୟା କରିଥିବା ନେଇ ମଧ୍ୟ ସବିତା ନାଟକ କରୁଥିଲେ । ପଚରାଉଚରା ପରେ ପୋଲିସ ସତ ଜାଣିବାକୁ ପାଇଛି । ଏଥିସହ ଗାତ ଖୋଳାଯାଇ ଚନ୍ଦ୍ରବୀରଙ୍କ ଗଳିତ ମୃତଦେହ ଜବତ କରାଯାଇଛି ।





