ଶାହ ଓ ନଡ୍ଡାଙ୍କ ସହ ବୈଠକ ପରେ ଏନ୍‌ଡିଏରେ ସାମିଲ୍ ହେଲେ ଚିରାଗ ପାସୱାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟରେ ଯୋଗ ଦେଲେ ଲୋକ ଜନଶକ୍ତି ପାର୍ଟି(ରାମ ବିଳାଶ)ର ଅଧ୍ୟକ୍ଷ ଚିରାଗ ପାସୱାନ। ସୋମବାର ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଆଜି ଏନ୍‌ଡିଏ ବୈଠକ ହେବାକୁ ଥିବା ବେଳେ ଚିରାଗଙ୍କ ଏନ୍‌ଡିଏରେ ସାମିଲ୍ ହେବା ବିଜେପିକୁ ବିହାରରେ ମଜଭୁତ କରିବ। ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ସଭାପତି ଜେପି ନଡାଙ୍କୁ ଭେଟି ଆଲୋଚନା କରିବା ପରେ ଚିରାଗ ଏନ୍‌ଡିଏରେ ମିଶିବାକୁ ନିଷ୍ପତ୍ତି ନେଇଥିଲେ।

ବିଜେପି ସଭାପତି ନଡ୍ଡା ଚିରାଗ ପାସୱାନଙ୍କ ସହ ଏକ ଫଟୋ ଟ୍ୱିଟ କରି ଲେଖିଛନ୍ତି, ‘ଦିଲ୍ଲୀରେ ଚିରାଗ ପାସୱାନଙ୍କ ସହ ଭେଟ ହେଲା। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ (ଏନଡିଏ) ରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମୁଁ ତାଙ୍କୁ ଏନଡିଏ ପରିବାରକୁ ସ୍ୱାଗତ କରୁଛି।’

ମଙ୍ଗଳବାର ଏନଡିଏ ବୈଠକ ହେବା ପୂର୍ବରୁ ଚିରାଗ ପାସୱାନ ଶାସକ ମେଣ୍ଟରେ ଯୋଗ ଦେବା ବିଜେପି ପାଇଁ ପ୍ଲସ୍ ପଏଣ୍ଟ ହେବ। ବିଶେଷ କରି ବିହାର ରାଜନୀତି ପାଇଁ। ଚିରାଗଙ୍କ ପିତା ତଥା ସ୍ୱର୍ଗତ ରାମ ବିଳାସ ପାସୱାନଙ୍କ ନେତୃତ୍ୱରେ ଅବିଭକ୍ତ ଏଲଜେପି ୨୦୧୯ ରେ ୬ ଟି ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ବିଜେପି ସହ ଆସନ ବାଣ୍ଟିବା ନେଇ ଚୁକ୍ତିନାମା ଅନୁଯାୟୀ ଦଳ ଗୋଟିଏ ରାଜ୍ୟସଭା ଆସନ ମଧ୍ୟ ପାଇଥିଲା।

ତେବେ ଏନ୍‌ଡିଏରେ ମିଶିବା ପୂର୍ବରୁ ଚିରାଗ ବିହାର ରାଜନୀତିକୁ ନେଇ ବିଜେପି ପାଖରେ ନିଜର ଦାବି ରଖିଥିଲେ। ଲୋକସଭା ଓ ରାଜ୍ୟସଭା ଆସନକୁ ନେଇ ସ୍ପଷ୍ଟ କରିଥିଲେ। ଚିରାଗ ଚାହୁଁଛନ୍ତି ଯେ ବିଜେପି ତାଙ୍କୁ ହାଜିପୁର ଲୋକସଭା ଆସନ ଦେଉ। ହାଜିପୁର ଆସନ ଦଶନ୍ଧୀ ଦଶନ୍ଧୀ ଧରି ତାଙ୍କ ବାପା ରାମ ବିଳାଶଙ୍କର ଗଡ଼ ଥିଲା। କିନ୍ତୁ ବର୍ତ୍ତମାନ ଚିରାଗଙ୍କ ଦାଦା ପଶୁପତି ପାରସ ଏହି ଆସନରୁ ସଂସଦରେ ପ୍ରତିନିଧିତ୍ୱ କରୁଛନ୍ତି। ଅନ୍ୟପଟେ ଚିରାଗଙ୍କ ଦାଦା ମଧ୍ୟ ଏହି ଆସନ ଦାବି କରିଛନ୍ତି। ସେ କହିଛନ୍ତି ଯେ ସେ ହିଁ ରାମ ବିଳାସ ପାସୱାନଙ୍କ ରାଜନୈତିକ ଉତ୍ତରାଧିକାରୀ, ଚିରାଗ ନୁହଁନ୍ତି।

ଅନ୍ୟପଟେ ଦାଦା-ପୁତୁରାଙ୍କ ରାଜନୈତିକ କଳିରେ ବିଜେପି ଫାଇଦା ନେବାକୁ ବସିଛି। ଉଭୟ ପକ୍ଷରେ ମଧ୍ୟରେ ସମାଧାନ କରିବା ଆଳରେ ବିଜେପି ଉଭୟଙ୍କୁ ଏନ୍‌ଡିଏରେ ଜାବୁଡ଼ି ରଖିଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ନିକଟରେ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଧ୍ୟ କେନ୍ଦ୍ର ମନ୍ତ୍ରୀ ପାରସଙ୍କୁ ଭେଟି ସାରିଛନ୍ତି। ୨୦୨୦ ବିହାର ବିଧାନସଭା ନିର୍ବାଚନ ସମୟରେ ବିଜେପିର ତତ୍କାଳୀନ ସହଯୋଗୀ ନୀତୀଶ କୁମାରଙ୍କୁ ବିରୋଧ କରି ଚିରାଗ ପାସୱାନ ଏନଡିଏ ସହ ଅଲଗା ହୋଇଥିଲେ। କିନ୍ତୁ ପ୍ରମୁଖ ପ୍ରସଙ୍ଗରେ ସେ ବିଜେପି ସମର୍ଥନରେ ରହିଥିଲେ।

Related Posts