ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସରୁ ଇସ୍ତଫା ଦେବା ପରେ କଂଗ୍ରେସ ଦଳ ଓ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ଆସୁଛନ୍ତି ବରିଷ୍ଠ ନେତା ଗୁଲାମ ନବୀ ଆଜାଦ। ତେବେ ଅଜାଦଙ୍କ ଟାର୍ଗେଟକୁ ନେଇ କଂଗ୍ରେସ ପକ୍ଷରୁ କଡ଼ା ଜବାବ ଦିଆଯାଇଛି। ଦଳ ପକ୍ଷରୁ କୁହାଯାଇଛି ରାଜ୍ୟସଭା ଆସନ ଯିବା ପରେ ହିଁ ଆଜାଦ୍ଙ୍କୁ ଏଭଳି ଦିବ୍ୟଜ୍ଞାନ ପ୍ରାପ୍ତ ହୋଇଛି। ଜମ୍ମୁ-କଶ୍ମୀରରେ ଆଜାଦଙ୍କ ସମର୍ଥନରେ ଦଳ ଛାଡିଥିବା ଅନେକ ନେତାଙ୍କୁ ଗୁରୁତ୍ୱ ନଦେଇ ଦଳର ମୁଖପାତ୍ର ଗୌରବ ବଲ୍ଲଭ ଏହା ମଧ୍ୟ କହିଛନ୍ତି ଯେ କଂଗ୍ରେସ ଏହି ଅଞ୍ଚଳରେ ସୁଦୃଢ଼ ରହିଛି ଏବଂ ଲୋକଙ୍କ ସମସ୍ୟା ସମ୍ପର୍କିତ ପ୍ରସଙ୍ଗ ନେଇ ଦଳ ଲଢ଼େଇ ଜାରି ରଖିଛି। କଂଗ୍ରେସ ମୁଖପାତ୍ର ଆଜାଦଙ୍କୁ ଟାର୍ଗେଟ କରି କହିଛନ୍ତି ଯେଉଁମାନେ ଦଳରୁ ଇସ୍ତଫା ଦିଅନ୍ତି, ସେମାନେ ପାଞ୍ଚ ପୃଷ୍ଠାର ଚିଠି ଲେଖନ୍ତି। ସେମାନଙ୍କୁ ପ୍ରଶ୍ନ ହେଉଛି ଆପଣଙ୍କୁ ଏଭଳି ଜ୍ଞାନ ୨୦୨୧ ପୂର୍ବରୁ କାହିଁକି ମିଳିଲା ନାହିଁ। ୨୦୨୧ ପୂର୍ବରୁ ଆପଣଙ୍କ ଆସନ ସୁରକ୍ଷିତ ଥିଲା ଏବଂ ଆପଣଙ୍କ ବଙ୍ଗଳା ସୁରକ୍ଷିତ ଥିଲା। ଯେତେବେଳେ ଆସନରେ ସଙ୍କଟ ଦେଖାଗଲା ମୁଣ୍ଡରେ ଏଭଳି ଜ୍ଞାନର ଉଦୟ ହେଲା ।
ସେ କହିଛନ୍ତି ଯେତେ ବାଧା ଆସୁ ନା କାହିଁକି ସେପ୍ଟେମ୍ବର ୪ ରେ ରାମଲୀଳା ମଇଦାନରେ ଦରଦାମ ବୃଦ୍ଧି ବିରୋଧରେ ଏକ ଐତିହାସିକ ରାଲି ହେବ ଏବଂ ସେପ୍ଟେମ୍ବର ୭ରୁ କନ୍ୟାକୁମାରୀରୁ ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବ। ୧୫୦ ଦିନ ଧରି ରାହୁଲ ଗାନ୍ଧୀ ଦେଶର ବିଭିନ୍ନ ପ୍ରସଙ୍ଗ ଉଠାଇବା ସହ ଦେଶକୁ ଏକଜୁଟ କରିବା ପାଇଁ କାର୍ଯ୍ୟ କରିବେ। ଏଥିସହ ସେ ଅଭିଯୋଗ କରିଛନ୍ତି ସାଧାରଣ ଜନତାଙ୍କ ପ୍ରସଙ୍ଗରେ ଆଜାଦ କଂଗ୍ରେସ ପକ୍ଷରୁ ନରେନ୍ଦ୍ର ମୋଦି ସରକାରଙ୍କୁ ରାଜ୍ୟ ସଭାରେ ପ୍ରଶ୍ନ କରିପାରି ନାହାନ୍ତି। ତେଣୁ ଏବେ ଏଭଳି ଆରୋପ କଂଗ୍ରେସ ବିରୋଧରେ ଆଜାଦ ଆଣୁଛନ୍ତି।
ସୂଚନାଯୋଗ୍ୟ ଯେ ରାଜ୍ୟସଭାରେ ପୂର୍ବତନ ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦଙ୍କ କାର୍ଯ୍ୟକାଳ ଫେବୃଆରୀ ୨୦୨୧ ରେ ଶେଷ ହୋଇଥିଲା। ଯାହା ପରେ ଦଳ ତାଙ୍କୁ ରାଜ୍ୟ ସଭାକୁ ପଠାଇ ନ ଥିଲା। ତେବେ ଦଳ ପୁନର୍ବାର ତାଙ୍କୁ ରାଜ୍ୟସଭା ନ ପଠାଇବାରୁ ସେ ଇସ୍ତଫା ଦେଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।





