ଭୁବନେଶ୍ୱର,୧୫/୫(ସତ୍ୟପାଠ ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ସମୟରେ କେବଳ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ମିଡିଆ ବାଇଟ କୁ ଧାରାବାହିକ ଭାବେ ଦେଖିଲେ ଜଣେ ବୁଝିପାରିବ ଯେ ଓଡ଼ିଶାରେ କଂଗ୍ରେସ ଦଳ ଭିତରେ ରାଜନୀତି କିଭଳି ଚାଲିଛି। କେବଳ ବେଲୁନ ଓ ବାହସ୍ପଟରେ ବଞ୍ଚିଛି ରାଜ୍ୟ କଂଗ୍ରେସର ପଲିଟିକାଲ ନ୍ୟାରେଟିଭ।
ଝାରସୁଗୁଡ଼ା ଉପନିର୍ବାଚନର ପ୍ରଚାର ବେଳେ କଂଗ୍ରେସ ନେତା ବିଶେଷ କରି ସୁର ରାଉତରାୟଙ୍କ ପାଟିରେ ବାଟୁଳି ବାଜୁନଥିଲା। ପ୍ରଥମେ ସୁର କହିଲେ ଝାରସୁଗୁଡ଼ା ଉପନିର୍ବାଚନରେ କଂଗ୍ରେସ ବିପୁଳ ଭୋଟ ରେ ବିଜୟ ଲାଭ କରିବ। ତାପରେ କହିଲେ କଂଗ୍ରେସ ୪ ହାଜର ଭୋଟ ରେ ଜିତିବ। କିନ୍ତୁ ରେଜଲ୍ଟ ବାହାରିଲା ପରେ ଜଣାପଡ଼ିଲା କଂଗ୍ରେସକୁ ମୋଟ ୪ ହାଜର ଭୋଟ ହିଁ ମିଳିଲା। ୪ ହାଜର ଭୋଟ ବ୍ୟବଧାନରେ ଜିତିବା ପାର୍ଟି କୁ ମିଳିଲା ମୋଟ ୪ ହାଜର ଭୋଟ ତଥାପି କଂଗ୍ରେସ ନେତା ବିଚଳିତ ହେବାର ନାହିଁ କି ଲଜ୍ଜିତ ହେବାର ନାହିଁ।
ଏବେ ସୁର ରାଉତରାୟଙ୍କ ବିବୃତି ହେଲା ଦଳ ଭିତରେ ଏକତା ଥିଲେ କଂଗ୍ରେସ ନିଶ୍ଚିତ ଜିତିଥନ୍ତା । ସୁରଙ୍କ ଭଳି ଅଭିଜ୍ଞ ଓ ପିଟା କଂଗ୍ରେସ ନେତା ରେଜଲ୍ଟ ବାହାରିବା ଯାଏଁ କୁଆଡେ ଜାଣି ପାରିନଥିଲେ ଯେ ଦଳ ଭିତରେ ଏକତା ଅଛି କି ନାହିଁ।
ସେ ଯାହା ବି ହେଉ, “ମୋର ସିନା ନାହିଁ, ମୋ ଭାଇର ତ ମୋଟା ନିଶ ଅଛି”- ଏହି ନ୍ୟାୟରେ ରାଜ୍ୟ କଂଗ୍ରେସ ନେତାଏ ଏବେ କର୍ଣ୍ଣାଟକ ବିଜୟକୁ ନେଇ ଢୋଲ ବଜାଇବାରେ ମିଠା ବାଣ୍ଟିବାରେ ବ୍ୟସ୍ତ । କଂଗ୍ରେସ ନେତାଙ୍କ କହିବା କଥା ସେଲିବ୍ରେସନ୍ ପାଇଁ ବାହାନା ଦରକାର । ଝାରସୁଗୁଡାରେ ସୁପର ଅମାନତ ହାରୁ ପଛେ କର୍ଣ୍ଣାଟକରେ ସୁପର ଡୁପର୍ ଜିତ୍ ହୋଇଛି। ତେଣୁ ଏବେ କଂଗ୍ରେସରେ, ପପୁ ପାସ୍-କୁଛ ମିଠା ହୋଯାଏ..





