ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସତ୍ୟବ୍ରତ ମୁଖାର୍ଜୀଙ୍କ ପରଲୋକ, ବାଜପେୟୀ ସରକାରରେ ଥିଲେ ମନ୍ତ୍ରୀ

ଭୁବନେଶ୍ୱର,୩/୩(ସତ୍ୟପାଠ ବ୍ୟୁରୋ): ଭାରତର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସତ୍ୟବ୍ରତ ମୁଖାର୍ଜୀଙ୍କ ୯୧ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ କୋଲକାତା ବାଲିଗଞ୍ଜର ବୃଦ୍ଧାବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସତ୍ୟବ୍ରତ ମୁଖାର୍ଜୀ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳରେ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଥିଲେ। ଏହା ସହିତ ସେ ଭାରତର ପୂର୍ବତନ ଅତିରିକ୍ତ ସଲିସିଟର ଜେନେରାଲ (ASG) ମଧ୍ୟ ଥିଲେ।

ସତ୍ୟବ୍ରତ ମୁଖାର୍ଜୀ ୧୯୩୨ ମସିହା ମେ’ ୮ରେ ଆସାମର ସିଲହଟ (ବର୍ତ୍ତମାନ ବାଂଲାଦେଶ)ରେ ଜନ୍ମଗ୍ରହଣ କରିଥିଲେ। ସେ କୋଲକତା ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିଲେ। ଏହାପରେ ‘ଦ ଅନରେବଲ୍‌ ସୋସାଇଟି ଅଫ୍ ଲିଙ୍କନ୍ ଇନ୍’ ରୁ ବାର୍-ଆଟ୍‌-ଲ’ କରିଥିଲେ ଏବଂ ଲଣ୍ଡନରେ ରିଜେଣ୍ଟ୍‌ ଷ୍ଟ୍ରିଟ୍ ପଲିଟେକ୍ନିକରେ ଅଧିକ ଅଧ୍ୟୟନ କରିଥିଲେ।

୧୯୯୯ରେ ସତ୍ୟବ୍ରତ ମୁଖାର୍ଜୀ କୃଷ୍ଣନଗର ଲୋକସଭା ନିର୍ବାଚନମଣ୍ଡଳୀରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସେ ବିଜେପି ଟିକେଟରେ ନିର୍ବାଚନ ଜିତିଥିଲେ ଓ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ । ତେବେ ମୁଖାର୍ଜୀ ୮୭ ବର୍ଷ ବୟସ ପର୍ଯ୍ୟନ୍ତ ନିୟମିତ ଭାବେ ହାଇକୋର୍ଟ ଯାଉଥିଲେ। ସେ ଦଳର କାର୍ଯ୍ୟକଳାପ ଉପରେ ନଜର ରଖୁଥିଲେ, କିନ୍ତୁ ବୟସ ବଢ଼ିବା ହେତୁ ଗତ ତିନିବର୍ଷ ହେବ ମୁଖାର୍ଜୀ ଏ ସମସ୍ତ ଜିନିଷରୁ ଦୂରେଇ ଯାଇଥିଲେ।

Related Posts