ଦୁଷ୍କର୍ମ ପୀଡିତାଙ୍କ ପରିବାର ସହ ଫଟୋକୁ ଟୁଇଟ୍ କରି ଅଡୁଆରେ ରାହୁଲ, ପୁଣି ଅଦାଲତକୁ ଭିଡା ହେବେ !

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): 2021 ଅଗଷ୍ଟ ମାସର ଏକ ଟ୍ୱିଟକୁ ନେଇ ଏବେ ଅଡୁଆରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ | ଜଣେ ଦୁଷ୍କର୍ମ ପୀଡିତାଙ୍କ ପରିବାର ବର୍ଗଙ୍କ ସହ ଫଟୋକୁ ରାହୁଲ ଟୁଇଟ୍ କରିଥିବା ବେଳେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏନେଇ ଦିଲ୍ଲୀ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି |

2021 ମସିହାରେ ଜଣେ ଦଳିତ ନାବାଳିକାକୁ ଦୁଷ୍କର୍ମ ସହ ହତ୍ୟା କରାଯିବା ପରେ ପରିବାରକୁ ନଜଣାଇ ଶବ ସତ୍କାର କରାଯାଇଥିବା ଅଭିଯୋଗ ଆସିଥିଲା | ସେ ସମୟରେ ରାହୁଲ ଗାନ୍ଧୀ ଉକ୍ତ ଦୁଷ୍କର୍ମ ପୀଡିତାଙ୍କ ପରିବାରବର୍ଗଙ୍କୁ ଭେଟିବା ସହ ସେମାନଙ୍କ ସହ ଫୋଟୋକୁ ଟ୍ୱିଟ କରିଥିଲେ |

ତେବେ ଜଣେ ଦୁଷ୍କର୍ମ ପୀଡି଼ତାଙ୍କ ପରିବାର ବର୍ଗଙ୍କ ଫୋଟୋ ପୋଷ୍ଟ କରିବା ଦ୍ୱାରା ରାହୁଲ ତାଙ୍କର ପରିଚୟକୁ ସାର୍ବଜନୀନ କରିଛନ୍ତି, ଯାହା JJ act 2015 ର ଉଲଂଘନ ବୋଲି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି | JJ act ବ୍ୟତୀତ ଜଣେ ଦୁଷ୍କର୍ମ ପୀଡିତାଙ୍କ ପରିବାର ବର୍ଗଙ୍କ ପରିଚୟ ସାର୍ବଜନୀନ କରିବା ପାଇଁ POCSO act ଏବଂ ଇଣ୍ଡିଆନ ପେନାଲ କୋଡ଼ରେ ମଧ୍ୟ ଦଣ୍ଡ ବିଧାନ ପାଇଁ ପ୍ରାବଧାନ ଥିବା ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଦର୍ଶାଇଛନ୍ତି |

ସେପଟେ ଏହି ମାମଲାରେ ଟ୍ୱିଟରକୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି | ରାହୁଲଙ୍କ ଏହି ଟ୍ୱିଟ ହଟାଇବାକୁ ଟ୍ୱିଟରକୁ ନିର୍ଦେଶ ଦିଆଯାଇଥିଲେ ବି ଟ୍ୱିଟର କେବଳ ଭାରତରେ ରାହୁଲଙ୍କ ଟ୍ୱିଟ କୁ ହଟାଇଛି | ଭାରତ ବାହାରେ ରାହୁଲଙ୍କ ଟ୍ୱିଟକୁ ହଟାଯାଇନାହିଁ | ଭାରତର ସମ୍ବିଧାନ ଅନୁଯାୟୀ ଗୋପନୀୟତାର ଅଧିକାର ସମସ୍ତଙ୍କ ରହିଥିବାବେଳେ ଟ୍ୱିଟର ଏହି ଟ୍ୱିଟ ନହଟାଇ ଏହାକୁ କ୍ଷୁଣ୍ଣ କରିଥିବା ଦର୍ଶାଯାଇଛି|

ତେବେ ମୋଦି ସାଙ୍ଗିଆ ମାନହାନି ମାମଲାରେ ରାହୁଲଙ୍କୁ ପୂର୍ବରୁ ଅଦାଲତୀ ଝଟକା ଲାଗି ସାରିଛି | ଏପରିକି ସେ ନିଜର ସାଂସଦ ପଦ ମଧ୍ୟ ହରାଇ ସାରିଛନ୍ତି | ଏବେ ପୁଣି ଏକ ପୁରୁଣା ଟ୍ୱିଟ ରାହୁଲଙ୍କୁ ଅଦାଲତକୁ ଭିଡି ନେଇପାରେ ବୋଲି କୁହାଯାଉଛି |

Related Posts