ଭୁବନେଶ୍ୱର,୪/୬(ସତ୍ୟପାଠ ବ୍ୟୁରୋ): ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଆରମ୍ଭ ହୋଇଯାଇଛି ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧା ବିଗ୍ରହ ।ସ୍ନାନବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ । ଆଜି ସ୍ନାନ ମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାବାହୁ । ଏଥିପାଇଁ ଭୋରୁ ନୀତିକାନ୍ତି ଆରମ୍ଭ ହେବା ପରେ ସ୍ନାନ ମଣ୍ଡପରେ ବିଜେ କରିଛନ୍ତି ମହାପ୍ରଭୁ ।
ନୀତି ନିର୍ଘଣ୍ଟ ଅନୁଯାୟୀ, ରାତି ୩ଟା ୩୦ ମିନିଟରେ ମଙ୍ଗଳାର୍ପଣ ଶେଷ ହେବା ପରେ ସକାଳ ୫ଟାରେ ପହଣ୍ଡି ଆରମ୍ଭ ହୋଇଥିଲା । ପ୍ରଥମେ ରତ୍ନ ବେଦି ଛାଡି ସ୍ନାନ ବେଦିରେ ବିଜେ କରିଥିଲେ ବଳଭଦ୍ର । ପରେପରେ ଦେବୀ ସୁଭଦ୍ରା ଓ ଜଗନ୍ନାଥ ରତ୍ନ ବେଦିକୁ ପହଣ୍ଡି ବିଜେ କରିଥିଲେ । ଏହାପରେ ମଙ୍ଗଳ ଆଳତୀ, ମଇଲମ, ତଡ଼ପଲାଗି, ଅଧରପୋଛା ନୀତି ଅନୁଷ୍ଠିତ ହେବ । ପରେପରେ ଦ୍ଵାରପାଳ ପୂଜା, ଅବକାଶ, ରୋଷହୋମ ନୀତି ଅନୁଷ୍ଠିତ ହେବ।
ସକାଳ ୯.୫୫ ମିନିଟରେ ସୂର୍ଯ୍ୟ ପୂଜା, ୧୦.୨୫ ବେଶଶେଷ, ୧୧.୨୦ ରୁ ୧୨.୪୫ ମଧ୍ୟରେ ଜଳ ବିଜେ, ପୂଜା, ସ୍ନାନ ନୀତି ହେବ। ୧.୫୦ ମିନିଟରେ ମଇଲମ, ମେକାପ ସର୍ବାଙ୍ଗ ଓ ନୂଆ ଲୁଗା ବେଶ, ମଧ୍ୟାହ୍ନ ୨ଟା ରେ ଛେରା ପହଁରା ଏହାପରେ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେହେ ମହାପ୍ରଭୁ। ଏହି ବେଶ ଦେଖିବାକୁ ଭକ୍ତ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ପରେ ପରେ ଛେରା ପହଁରା ଘଣ୍ଟଛତା ସକାଳ ଧୂପ, ଦକ୍ଷିଣିଘର ଭୋଗ, ସାହାଣମେଲା, ମଇଲମ ପୁଷ୍ପାଞ୍ଜଳି ଓ ଡୋରଲାଗି, ବାହୁଡ଼ା ପହଣ୍ଡି, ସୁନା ଚିତା ଓ ବାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ ।
ସ୍ନାନ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଭକ୍ତଙ୍କ ଜନସମାଗମକୁ ଦୃଷ୍ଟିରେ ରଖି ମାର୍କେଟ ଛକଠାରୁ ବ୍ୟାରିକେଡ୍ ବ୍ୟବସ୍ଥା ସହ ପର୍ଯ୍ୟାପ୍ତ ସିସିଟିଭି, ୬୦ ପ୍ଲାଟୁନ ପୋଲିସ ଫୋର୍ସ, ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିସହ ୩ ଜଣ କମାଣ୍ଡାଣ୍ଟ, ୧୨ ଅତିରିକ୍ତ ଏସପି, ୨୨ ଡିଏସପି ୫୯ ଇନ୍ସପେକ୍ଟର, ୨୯୧ ସବ ଇନ୍ସପେକ୍ଟର, ୪୧ ହାବିଲଦାର, ୧୨ ଟ୍ରାଫିକ ହାବିଲଦାର, ୩୩୧ କନଷ୍ଟେବଳ, ୪୮ ଟ୍ରାଫିକ କନଷ୍ଟେବଳ, ୫୪୪ ହୋମଗାର୍ଡ ସୁରକ୍ଷା ଦାୟିତ୍ବରେ ରହିଛନ୍ତି ।





