ପୁଣି ବିଧାନସଭାରେ ଉଠିଲା ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ; ସରକାରଙ୍କୁ ମିଳିତ ଭାବେ ଘେରିଲେ ବିଜେପି-କଂଗ୍ରେସ

ଭୁବନେଶ୍ୱର,୨୯/୩ (ସତ୍ୟପାଠ ବ୍ୟୁରୋ): ଆଜି ବିଧାନସଭା ଶୂନ୍ୟକାଳରେ ପୁଣି ଉଠିଛି ନବ ଦାସ ହତ୍ୟା ପ୍ରସଙ୍ଗ। ଏହି ପ୍ରସଙ୍ଗରେ ସରକାରଙ୍କୁ ମିଳିତ ଭାବରେ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ଆଜି ଗୃହରେ ପ୍ରଥମେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ। ଏହାପରେ ତାଙ୍କ କଥାକୁ ସମର୍ଥନ ଜଣାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ବିରୋଧୀ ଦଳ ନେତା କହିଛନ୍ତି, ନବ ଦାସ ଷଡ଼ଯନ୍ତ୍ର ହତ୍ୟାର ଷାଠିଏ ଦିନ ପୂର୍ଣ୍ଣ ହେଲା। ହେଲେ ହତ୍ୟାର ଉଦ୍ଦେଶ୍ୟ ଏବଂ ଏହା ପଛରେ କିଏ ରହିଛି ଏଯାଏଁ ଜଣା ପଡ଼ିଲା ନାହିଁ। ଏଥିରୁ ଓଡ଼ିଶା ପୁଲିସର ପାରିବାପଣିଆ ଜଣାପଡ଼ିଲା। ଘଟଣାକୁ ଚପେଇ ଦେବାକୁ ଚେଷ୍ଟା ହେଉଛି। ପ୍ରତ୍ୟେକ ହତ୍ୟାର ଉଦ୍ଦେଶ୍ୟ ଥାଏ, ଏହା କ୍ରିମିନାଲ କନସିପିରେସି ବୋଲି ଗୃହ ରାଷ୍ଟ୍ର ମନ୍ତ୍ରୀ କହିଲେ, କିନ୍ତୁ ମୁଖ୍ୟମନ୍ତ୍ରୀ କହିଲେ ନାହିଁ।

ରାଜ୍ୟରେ ଏଫବିଆଇ ତଦନ୍ତର ନଜିର ନାହିଁ, ପ୍ରଶ୍ନର ଉତ୍ତରରେ ସରକାର କହିଥିଲେ, ତେଣୁ ଏହା ଏକ ବିଶ୍ୱସ୍ତରୀୟ ହତ୍ୟା ସେଥିପାଇଁ, ବିଶ୍ୱସ୍ତରୀୟ ତଦନ୍ତର ଦାୟିତ୍ୱ ଦେଲେ। ବିଧାନସଭା ସରିଗଲେ କଥାକୁ ଚପାଇ ଦିଆଯିବ। ଏହି ପ୍ରସଙ୍ଗ ଗୃହରେ ବାରମ୍ବାର ଉଠୁଛି, ପୁଲିସ ଗୋଟେ ନୂଆ ନୂଆ କାହାଣୀ କହୁଛି। ଏହାର ନିର୍ଯାସ ବାହାରୁ ନାହୁଁ, ଗୃହର ଆବଶ୍ୟକତା କଣ ? ଆମେ କଣ କରିବୁ, ସାଧାରଣ ଜନତା କଣ କରିବେ? ରାଜ୍ୟରେ ଅନେକ ହତ୍ୟା ହେଲାଣି, ବଡ ବଡ଼ ଲୋକଙ୍କ ହାତ ଅଛି, ବଡ଼ ବଡ଼ ଲୋକଙ୍କ ହାତ ଅଛି, ସେଥିପାଇଁ ସରକାର ତଦନ୍ତ କରିବାକୁ ଚାହୁଁ ନାହାନ୍ତି କହି ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।

ସେପଟେ ବିରୋଧୀ ଦଳ ନେତାଙ୍କ ସହ ସ୍ୱର ମିଳାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ବିରୋଧୀ ଦଳ ନେତା ଯେଉଁ ପ୍ରସଙ୍ଗ ଉଠେଇ ଉଦବେଗ ପ୍ରକାଶ କରିଛନ୍ତି, ସେଥିରେ ମୁଁ ସହମତ। ବାରମ୍ବାର ଏହି ପ୍ରସଙ୍ଗ ଉଠା ଯାଉଛି, ଆଜିକୁ ଷାଠିଏ ଦିନ ହେଇଗଲା। ଏସସିବିର ମେଡିକାଲ ଏକ୍ସପର୍ଟ କମିଟି ରିପୋର୍ଟ ଅନୁଯାୟୀ ଗୋପାଳ ପାଗଳ ନୁହେଁ। କିନ୍ତୁ ଗୋପାଳକୁ ପାଗଳ ବନେଇବା ପାଇଁ ସରକାର ପାଗଳ ହୋଇଯାଇଛନ୍ତି। ଏଫବିଆଇ ତଦନ୍ତ ପାଇଁ ସରକାର ସୁପାରିଶ କରିଥିବା କଥା କହୁଛନ୍ତି, ସେହି ତଦନ୍ତରେ ଗୋପାଳ ପାଗଳ କି ନୁହେଁ ତାହାର ତଦନ୍ତ ହେବ। ହେଲେ ଷାଠିଏ ଦିନ ପରେ ହତ୍ୟା ଷଡ଼ଯନ୍ତ୍ରର ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ ହୋଇପାରିଲା ନାହିଁ। ଏଥିରୁ ସରକାର ଓ ପୋଲିସର ପାରିବା ପଣିଆ କେତେ ତାହା ଜଣାପଡୁଛି ବୋଲି ନରସିଂହ କହିଛନ୍ତି।

Related Posts