ଅଜିତ ପାୱାର ନିଜ ଫାଇଦା ପାଇଁ ବିଜେପି ସହ ମେଣ୍ଟ କରିଛନ୍ତି: ଶରଦ ପାୱାର

ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): ଏନସିପିରେ ବିଦ୍ରୋହ କରି ବିଜେପି-ଶିବସେନା ସରକାରକୁ ଅଜିତ ପାୱାର ସମର୍ଥନ କରିବାର ଦୀର୍ଘଦିନ ପରେ ପ୍ରଥମ ଥର ନିଜ ପୁତୁରାଙ୍କ ବିରୋଧରେ ମୁହଁ ଖୋଲିଛନ୍ତି ଶରଦ ପାୱାର। କାହିଁକି ଅଜିତ ପାୱାର ଏନସିପି ଶିବିର ଛାଡ଼ିଲେ ଶରଦ ତାହାର ଖୁଲାସା କରିଛନ୍ତି। ରବିବାର ପୁଣେରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶରଦ କହିଛନ୍ତି ଯେ, ଗତ କିଛି ମାସ ମଧ୍ୟରେ ଦଳରେ ବହୁତ କିଛି ପରିବର୍ତ୍ତନ ହୋଇଛି। ଦଳର ବହୁ ସଦସ୍ୟ ଆମକୁ ଛାଡ଼ି ଚାଲି ଯାଇଛନ୍ତି। ରାଜ୍ୟ ବିକାଶର ଦ୍ୱାହି ଦେଇ ଅଜିତ ପାୱାର ବିଜେପି ସହ ହାତ ମିଶାଇଛନ୍ତି। କିନ୍ତୁ ଏହି ବାହାନା ସମ୍ପୂର୍ଣ୍ଣ ମିଥ୍ୟା। କାରଣ ଅଜିତଙ୍କୁ ଇଡି ଭୟ ଘାରିଥିଲା ବୋଲି ଶରଦ କହିଛନ୍ତି।

କେନ୍ଦ୍ର ସରକାର ଅଜିତ ଓ ତାଙ୍କ ସମର୍ଥକଙ୍କ ନାଁରେ ଇଡି ତଦନ୍ତ କରିବାକୁ ସମନ ଜାରି କରିବାରୁ, ସେମାନେ ଭୟରେ ବିଜେପିକୁ ଚାଲି ଯାଇଥିବା କହିଛନ୍ତି ଶରଦ ପାୱାର। ଏଥିପାଇଁ ସେମାନେ ରାଜ୍ୟ ବିକାଶର ଦ୍ୱାହି ଦେଇଥିଲେ ମଧ୍ୟ, ସେ ଯିବାର କିଛି ଦିନ ମଧ୍ୟରେ ରାଜ୍ୟର ସେପରି କିଛି ଆଖି ଦୃଶିଆ ପରିବର୍ତ୍ତନ ଦେଖା ଯାଇ ନାହିଁ। ରାଜ୍ୟରେ ଏବେବି ବେରୋଜଗାରୀ, ଚାଷୀ ସମସ୍ୟା ଆଦି ଲାଗି ରହିଛି। ତେଣୁ ରାଜ୍ୟର ବିକାଶ ପାଇଁ ନୁହଁ ବରଂ ନିଜର ଫାଇଦା ପାଇଁ ଅଜିତ ବିଜେପି ସହ ମେଣ୍ଟ କରିଛନ୍ତି ବୋଲି ଶରଦ କହିଛନ୍ତି।

ତେବେ ଦଳରେ ବିଦ୍ରୋହ ପରେ ଗତ ଅଗଷ୍ଟ ୧୨ ତାରିଖରେ ପୁଣେର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ଉଭୟ ଶରଦ ଓ ଅଜିତଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକ ବସିଥିଲା। ଏହାକୁ ନେଇ ରାଜନୈତିକ ଆଲୋଚନା ସରଗରମ ହୋଇଥିଲା। ଏପରିକି ଶରଦ ମଧ୍ୟ ବିଜେପି ଶିବିରକୁ ଯିବାନେଇ ଚର୍ଚ୍ଚା ହେଉଥିଲା | ହେଲେ ପରେ ଶରଦ ଏହି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ | ଏସବୁ ମଧ୍ୟରେ ବିଦ୍ରୋହ ପରେ ପ୍ରଥମଥର ଶରଦ ସିଧାସଳଖ ଅଜିତଙ୍କୁ ଟାର୍ଗେଟ କରିଥିବା ବେଳେ ନେଇ ଅଜିତ ପାୱାରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ |

Related Posts